ଆରମ୍ଭ ହେଲା ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି ଏଥରର ଜି-୨୦ ସମ୍ମିଳନୀ । ନୂଆଦିଲ୍ଲୀ ଭାରତମଣ୍ଡପମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଛି । ଜି-୨୦ ଶିଖର ସମ୍ମିଳନୀକୁ ଭାରତ ଏପରି ଏକ କୂଟନୈତିକ ଆୟୋଜନରେ ପରିଣତ କରିଦେଇଛି ଯାହା ପୂର୍ବରୁ କେବେ ହୋଇନଥିଲା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କ ଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ, ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି । ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିଛନ୍ତି । ସମ୍ବୋଧନ ଆରମ୍ଭ ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ''ଆମେ ଏବେ ଯେଉଁ ସ୍ଥାନରୁ ବସିଛୁ ତାହାଠାରୁ କିଛି କିଲୋମିଟର ଦୂରତାରେ କେତେବର୍ଷ ପୁରୁଣା ଗୋଟେ ସ୍ତମ୍ଭ ରହିଛି ସେହି ସ୍ତମ୍ଭ ଉପରେ ପ୍ରାକୃତିକ ଭାଷାରେ ଲେଖାଅଛି ' ହେବାମଂ ଲୋକଷା ହିତ ମୁଖେଁତି ଅତଃହ ୟମଃ ନାତିଶୁ ହେବମ" ଅର୍ଥାତ ମାନବିକତାର କଲ୍ୟାଣ ଏବଂ ସୁଖ ସବୁବେଳେ ସୁନିଶ୍ଚିତ କରାଯାଉ | ଅଢେଇ ବର୍ଷ ପୂର୍ବରୁ ଭାରତ ଭୂମିରୁ ଏହି ସନ୍ଦେଶ ପୁରା ବିଶ୍ୱକୁ ଦିଆଯାଇଥିଲା | ଆସନ୍ତୁ ଏହି ସନ୍ଦେଶକୁ ମନେପକାଇ ଜି-୨୦ ସମ୍ମିଳନୀକୁ ଆରମ୍ଭ କରିବା ।
ତେବେ ଜି-୨୦ର ପ୍ରଥମ ସେସନ୍ 'ୱାନ୍ ଆର୍ଥ’ ରେ ବିଶ୍ୱରେ ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ହେବା ସହ ବିଶ୍ୱରେ ବିଶ୍ୱାସର ଘୋର ଅଭାବ ଦେଖାଦେଇଛି ବୋଲି ମତ ପ୍ରକାଶ ପାଇଛି । ହେଲେ ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଆସିଛି । ‘ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ହିଁ ପଥ ପ୍ରଦର୍ଶକ ସାଜିବ । ତେଣୁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ କହିଛନ୍ତି । ଏଥିସହ ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ଘୋଷଣା କଲେ ମୋଦି ।