ଆରମ୍ଭ ହୋଇଯାଇଛି ଜି-୨୦ସମ୍ମିଳନୀ । ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମରେ ଫର ଫର ହୋଇ ଉଡ଼ୁଛି ସବୁ ଦେଶର ପତାକା । ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ । । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏଥିପାଇଁ ବିଶ୍ୱର ବଡ଼ ବଡ଼ ନେତା ଭାରତରେ ପହଞ୍ଚିସାରିଛନ୍ତି ।
ତେବେ ଏହି ସମ୍ମିଳନୀରେ କେବଳ ଭାରତର ଐତିହ୍ୟ ନୁହେଁ ଓଡ଼ିଶାର କଳା ଐତିହ୍ୟ ମଧ୍ୟ ଦେଖୁଛି ବିଶ୍ୱ । ବିଶ୍ୱ ମହାମଞ୍ଚରେ ଓଡ଼ିଶାର ମହାଭାରତୀୟ ସ୍ଵରୂପର ଜୟଜୟକାର ଦେଖିବାକୁମିଳିଛି । ବିଶ୍ୱନେତାଙ୍କୁ ମୋଦିଙ୍କ ସ୍ୱାଗତ ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତି ଦେଖିବାକୁ ମିଳିଛି । ଏଥିସହ କୋଣାର୍କ ମନ୍ଦିରର ଅଖ ଚକର ପ୍ରତିକୃତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଶ୍ୱର ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ପ୍ରଧାନ ମନ୍ତ୍ରୀ ମୋଦି ବୁଝାଇଛନ୍ତି କୋଣାର୍କର ଅନନ୍ୟ ପରିଚୟ।
ଆଜି ସମ୍ମିଳନୀ ଆରମ୍ଭ ପୂର୍ବରୁ ବିଦେଶୀ ଅତିଥିଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ମଣ୍ଡପମ୍ ରେ ଜଣକ ପରେ ଜଣେ ବିଦେଶୀ ନେତା ପହଞ୍ଚିଥିଲା ବେଳେ ସେମାନଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ସେହି ସ୍ୱାଗତ ସ୍ଥଳରେ ଶୋଭାପାଉଥିଲା ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଆଉ ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଉ ଏହାକୁ ନେଇ ଟ୍ୱିଟରେ ଖୁସି ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ପର୍କିତ ଫଟୋ ସେୟାର କରି ଏହା ସମସ୍ତ ଭାରତୀୟ ବିଶେଷ ଭାବେ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଗର୍ବର ବିଷୟ ବୋଲି ଧର୍ମେନ୍ଦ୍ର ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ଆଜି ଦିନ ୧୦ଟା ୩୦ରେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା କରାଯାଉଛି । ଏହାପରେ ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟାରେ ଦ୍ୱିତୀୟ ଅଧିବେଶନରେ ‘ୱାନ୍ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରିଭୋଜନ ପାଇଁ ପହଞ୍ଚିବେ ଅତିଥି । ରାତି ୮ଟାରେ ରାତ୍ରିଭୋଜନ ବେଳେ ଅତିଥିଙ୍କ ସହ ଆଲୋଚନା ରହିଛି ।