ପୁଣେ: ଭାରତୀୟ ସଶସ୍ତ୍ର ବାହିନୀର ଇତିହାସରେ ଗୁରୁବାର ଦିନ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ୧୭ ଜଣ ମହିଳା କ୍ୟାଡେଟର ପ୍ରଥମ ବ୍ୟାଚ୍ ସେମାନଙ୍କର ସ୍ନାତକ ସମାପ୍ତ କରିଛନ୍ତି। ସମାବର୍ତ୍ତନ ଉତ୍ସବରେ କ୍ୟାଡେଟମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ମହିଳା କ୍ୟାଡେଟମାନେ ଏବେ ପୁରୁଷମାନଙ୍କ ସହିତ କାନ୍ଧ ମିଳାଇ ଦେଶ ସେବା କରିବା ପାଇଁ ସେମାନଙ୍କର ସାହସିକତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ଆଜି ୧୭ ଜଣ ମହିଳା କ୍ୟାଡେଟ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍ଡିଏ)ର ପାସିଂ ଆଉଟ୍ ପରେଡରେ ଅଂଶଗ୍ରହଣ କରିବେ।
୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ମହିଳାମାନଙ୍କୁ ପ୍ରତିରକ୍ଷା ଏକାଡେମୀରେ ଆବେଦନ କରିବାକୁ ଅନୁମତି ଦେଇଥିଲା।
ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ୧୭ ଜଣ ମହିଳା କ୍ୟାଡେଟଙ୍କ ସମେତ ୩୩୯ ଜଣ କ୍ୟାଡେଟଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୮୪ ଜଣ କ୍ୟାଡେଟଙ୍କୁ ବିଏସସି ଡିଗ୍ରୀ, ୮୫ ଜଣ କମ୍ପ୍ୟୁଟର ସାଇନ୍ସ ଡିଗ୍ରୀ, ୫୯ ଜଣ କଳା ସ୍ନାତକ (ବିଏ) ଡିଗ୍ରୀ ଏବଂ ୧୧୧ ଜଣ ବିଟେକ୍ ଡିଗ୍ରୀ ପ୍ରଦାନ କରାଯାଇଛି।
କ୍ୟାଡେଟ୍ ଲକି କୁମାର ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଟାଲିୟନ କ୍ୟାଡେଟ୍ କ୍ୟାପଟେନ୍ ପ୍ରିନ୍ସ କୁମାର ସିଂହ କୁଶୱାହା କମ୍ପ୍ୟୁଟର ସାଇନ୍ସରେ ଟପ୍ପର ହୋଇଛନ୍ତି। ୧୭ ଜଣ ମହିଳା କ୍ୟାଡେଟ୍ ମଧ୍ୟରୁ ଡିଭିଜନ କ୍ୟାଡେଟ୍ କ୍ୟାପଟେନ୍ ଶ୍ରୀତି ଦକ୍ଷ କଳାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏକାଡେମୀ କ୍ୟାଡେଟ୍ କ୍ୟାପଟେନ୍ ଉଦୈବୀର ସିଂହ ନେଗି ବି.ଟେକ୍ରେ ଟପ୍ପର ହୋଇଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଦୀନ ଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ପ୍ରଫେସର ପୁନମ୍ ଟଣ୍ଡନ୍ ସମସ୍ତ କ୍ୟାଡେଟ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ ମହିଳା କ୍ୟାଡେଟମାନଙ୍କୁ କହିଥିଲେ, ଦେଶର ହଜାର ହଜାର ଯୁବତୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆପଣମାନେ ପରିବର୍ତ୍ତନ, ସାହସ ଏବଂ ସମ୍ଭାବନାର ପତାକାବାହକ। ଆପଣଙ୍କ ଉଦାହରଣ ଆଗାମୀ ପିଢ଼ିକୁ ପ୍ରେରଣା ଦେବ।
ଅଧିକ ପଢ଼ନ୍ତୁ: ଆଇପିଏଲ୍ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ