ନୂଆଦିଲ୍ଲୀ/ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ରାଜ୍ୟର ୪୩ଟି ଆସନରେ ଜାରିଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ। ମତଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବାଗତ ଭୋଟରମାନଙ୍କୁ ଉତ୍ସାହିତ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗଣତନ୍ତ୍ରର ଏହି ପର୍ବରେ ମୁଁ ସମସ୍ତ ଭୋଟରଙ୍କୁ ପୂରା ଉତ୍ସାହର ସହ ଭୋଟ୍ ଦେବାକୁ ଅନୁରୋଧ କରୁଛି। ଏହି ଅବସରରେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଥିବା ମୋର ସମସ୍ତ ଯୁବ ବନ୍ଧୁମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ! ମନେ ରଖନ୍ତୁ- ପ୍ରଥମେ ଭୋଟ୍, ତା'ପରେ ଜଳଖିଆ ବୋଲି କହିଛନ୍ତି।
ରାଜ୍ୟରେ ମତଦାନ ଜାରିଥିବା ବେଳେ ସକାଳ ୯ଟା ସୁଦ୍ଧା ୧୩.୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ରାଞ୍ଚିର ଶ୍ରୀକୃଷ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନର ଏକ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି। ଏହି ଅବସରରେ ସେ ସମସ୍ତ ଭୋଟରଙ୍କୁ ବାଧ୍ୟତାମୂଳକ ଭାବେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ଗଣତନ୍ତ୍ରରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ରହିଛି, ତେଣୁ ଏଥିରେ ନିଜର ଭୂମିକା ନିର୍ବାହ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଭୋଟ୍ ଦେବା ପରେ ସେ ସେଲ୍ଫି ପଏଣ୍ଟରେ ଏକ ଫଟୋ ମଧ୍ୟ ଉଠାଇଥିଲେ, ଯେଉଁଥିରେ ସେ ଅଦୃଶ୍ୟ କାଳି ରେ ଆଙ୍ଗୁଠି ଦେଖାଇଥିଲେ। ଝାଡ଼ଖଣ୍ଡରେ ଗଙ୍ଗୱାର ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି।
କୋଡର୍ମା, ବରକଥା, ବାର୍ହି, ବରକାଗାଓଁ, ହଜାରୀବାଗ, ସିମାରିଆ, ଚତ୍ରା, ବାହାରଗୋରା, ଘାଟଶିଲା, ପୋଟ୍କା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଇଚାଗଡ଼, ସରାଇକେଲା, ଚାଇବାସା, ମାଜାଗାଓଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ଖାରସାୱାନ, ତମାର, ତୋରପା, ଖୁଣ୍ଟି, ରାଞ୍ଚି, ହାତିଆ, କାଙ୍କେ, ମନ୍ଦାର, ସିସାଇ, ଗୁମଲା, ବିଶୁନପୁର, ସିମଡେଗା, କୋଲେବିରା, ଲୋହରଦଗା, ମଣିକା, ବାଲେବିରା, ଲୋହରଦଗା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମତଦାନ ହେଉଛି।
ଅଧିକ ପଢ଼ନ୍ତୁ: ୧୧ ରାଜ୍ୟର ୩୩ ଆସନରେ ମତଦାନ କରୁଛନ୍ତି ମତଦାତା