ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ଚଟପଟା ଛତୁ
Khabar Odisha:lifestyle-chatpata-mashroom
ଭୁବନେଶ୍ଵର, ସେପ୍ଟେମ୍ବର ୦୬ (ଖବର ଓଡିଶା) :

ଛତୁ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରନ୍ତି। ପିଲାମାନେ ମଧ୍ୟ ଏହାକୁ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଯଦି ଆପଣଙ୍କ ନିକଟରେ ସମୟର ଅଭାବ ରହିଛି ତେବେ ଆପଣ ଛତୁର ଏହି ଡିସ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ। ଏବଂ ଗରମା ଗରମ ନିଜ ପ୍ରିୟଜନଙ୍କୁ ପରଷି ପାରିବେ। ତେବେ ଜାଣି ରଖନ୍ତୁ ଚଟପଟା ଛତୁର ପ୍ରସ୍ତୁତି ପ୍ରଣାଳୀ।  

ଆବଶ୍ୟକୀୟ ସାମଗ୍ରୀ- ଛତୁ, କଟା ପିଆଜ, କଟା ଆଳୁ, କଟା ଟମାଟ, ରସୁଣ-ଅଦା ପେଷ୍ଟ୍ , ହଳଦୀ, କଟା ଧନିଆ ପତ୍ର, ଲେମ୍ବୁ, କଟା କଂଚା ଲଙ୍କା, ତେଲ, ଫୁଟଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ଗରମ ମସଲା ପାଉଡର୍ ଓ ଲୁଣ।

ବିଧି- ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହାପରେ କଢେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଛୋଟ ଛୋଟ କଟା ହୋଇଥିବା ଆଳୁକୁ ପକାଇ ଭାଜନ୍ତୁ। ଆଳୁ ଭାଜି ହୋଇଯିବା ପରେ ତାକୁ ଏକ ପ୍ଲେଟରେ ବାହାର କରି ଆଣନ୍ତୁ। ଏବେ କଢେଇରେ ତେଲ ଗରମ କରି ଫୁଟଣ, ପିଆଜ ପକାଇ ହାଲକା ଭାଜନ୍ତୁ। ପିଆଜ ଟିକେ ଲାଲ୍‌ ହୋଇଗଲେ କଟା କଂଚା ଲଙ୍କା, ଟମାଟୋ, ଅଦା-ରସୁଣ ପେଷ୍ଟ, ହଳଦୀ ପକାଇ ମସଲାକୁ ଭଲ ଭାବେ କସି ଦିଅନ୍ତୁ।

ବର୍ତ୍ତମାନ ଏଥିରେ କଟା ହୋଇଥିବା ଛତୁକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଆଂଚକୁ ମିଡିୟମରେ ରଖି ଏକ ଘୋଡଣି ଦେଇ ଛତୁକୁ ସିଝିବାକୁ ଦିଅନ୍ତୁ। ଛତୁରୁ ପାଣି ହାଲକା ଶୁଖିବା ପରେ ଘୋଡଣି ବାହାର କରି ସେଥିରେ ଭଜା ଆଳୁ, ଲୁଣ, ଜିରା ପାଉଡର୍, ଧନିଆ ପାଉଡର୍, କଟା ଧନିଆ ଓ ଗରମ ମସଲା ପକାଇ ଭଲ ଭାବେ ଘାଣ୍ଟିଦିଅନ୍ତୁ ଏବଂ ପୁଣିଥରେ ଘୋଡଣି ଦିଅନ୍ତୁ। ଛତୁ ସମ୍ପୂର୍ଣ୍ଣ ସିଝିବା ପରେ ଉପରେ ଲେମ୍ବୁ ରସ ପକାନ୍ତୁ ଏବଂ ଭଲ କରି ମିଶାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚଟପଟା ଛତୁ’। ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହିତ ଖାଆନ୍ତୁ।

Subscribe

National International State Sports Entertainment