ଭୁବନେଶ୍ୱର: କଳା, ସଂସ୍କୃତି, କ୍ରୀଡ଼ା ଓ ମନୋରଂଜନର ସମ୍ମିଳନୀ ସ୍ଥଳ କୁହାଯାଉଥିବା ‘ପଥ ଉତ୍ସବ’ ଆଗାମୀ ଦିନରେ ପ୍ରତିମାସରେ ଅନୁଷ୍ଠିତ ହୋଇପାରେ। ଏହା ଦ୍ବାରା ଯୁବପିଢ଼ି ଭୁବନେଶ୍ବରର ରାଜରାସ୍ତାରେ ଏକତ୍ର ହୋଇ ମନୋରଂଜନ କରିପାରିବେ। ନିଜ ସଂସ୍କୃତିକୁ ଭଲଭାବରେ ଚିହ୍ନିବାରେ ଏହି ପ୍ରୟାସ କିଛି ପରିମାଣରେ ସହାୟକ ହେବ। ରାଜ୍ୟ ସରକାର ଭୁବନେଶ୍ବରରେ ପ୍ରତିମାସରେ ପଥ ଉତ୍ସବର ଆୟୋଜନ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ଏଣିକି ଭୁବନେଶ୍ୱରରେ ବର୍ଷକୁ ୧୨ଟି ପଥ ଉତ୍ସବ କରାଯିବା ନେଇ ବିଚାର କରାଯାଉଛି। ଭୁବନେଶ୍ୱରରେ ପଥ ଉତ୍ସବ ପ୍ରତି ଲୋକପ୍ରିୟତା ବଢୁଥିବା ବେଳେ ଏଭଳି ଏକ ନିଷ୍ପତ୍ତି ନେଇପାରନ୍ତି ସରକାର। ଭୁବନେଶ୍ୱରରେ ବର୍ଷକୁ ୧୨ଟି ପଥୋତ୍ସବ ଆୟୋଜନ କରିବା ପାଇଁ ଚିନ୍ତା କରାଯିବ। ସରକାର ପ୍ରତି ମାସରେ ଗୋଟିଏ ଲେଖାଏଁ ପଥ ଉତ୍ସବ ଆୟୋଜନ କରିବାକୁ ଯୋଜନା କରିପାରନ୍ତି। ଏହାଦ୍ୱାରା ବିଏମସି ଏବଂ ଭୁବନେଶ୍ୱରବାସୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇପାରିବ।
ସୂଚନାଯୋଗ୍ୟ, ପଥ ଉତ୍ସବ ପାଇଁ ତିନୋଟି ସ୍ଥାନ ସ୍ଥିରୀକୃତ ହୋଇଥିଲା। ଗତ ରବିବାର ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରୁ ରାମ ମନ୍ଦିର ଯାଏ ପଥ ଉତ୍ସବର ଆୟୋଜନ ହୋଇଥିଲା। ଆଜି ଖଣ୍ଡଗିରି ଜାଗମରାରେ ଏକ କିଲୋମିଟର ବ୍ୟାପୀ ପଥ ଉତ୍ସବ ଅନୁଷ୍ଠିତ ହୋଇଛି। ନାଚ-ଗୀତର ଆସର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ ଝଲକରେ ସଜେଇ ହୋଇଛି ଜାଗମରା। ଆଜିର କାର୍ଯ୍ୟକ୍ରମରେ ବିଶେଷ କରି ପ୍ରବାସୀ ଭାରତୀୟମାନେ ମଧ୍ୟ ସାମିଲ ହୋଇଥିଲେ। ଆସନ୍ତା ରବିବାର ଭୁବନେଶ୍ୱରର ଉତ୍ତର ଜୋନରେ ପଥ ଉତ୍ସବ ଆୟୋଜନ ହେବ। ଏହା ଶିଖରଚଣ୍ଡୀ ପାହାଡ଼ ତଳୁ ଇନଫୋସିଟି ଯାଏଁ ଚାଲିବ। ଏବେ ସାରା ଭୁବନେଶ୍ୱରରେ ‘ପଥ ଉତ୍ସବ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ିଆ ପାଗକୁ ମଧ୍ୟ ଯୁବପିଢ଼ି ଖାତିର କରୁନାହାନ୍ତି। ସତେ ଯେମିତି ରାଜଧାନୀର ଯୁବପିଢ଼ି ‘ପଥ ଉତ୍ସବ’ ଚାତକ ପରି ଚାହିଁ ରହିଛନ୍ତି।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ବସ୍ ସେବା