ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ତୁର୍ବାଟରେ ବୋମା ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣ ପରେ ପୁଲିସ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆହତ ଓ ମୃତକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ ତାଙ୍କ ପରିବାରର ୬ ଜଣ ସଦସ୍ୟ ଏବଂ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଏସ୍ଏସ୍ପି ଆହତ ହୋଇଛନ୍ତି। ଅଧିକାରୀ ଏବଂ ତାଙ୍କ ପରିବାର ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା।
ବେଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଏଲଏର ଆତ୍ମଘାତୀ ଆକ୍ରମଣକାରୀ ବ୍ରିଗେଡ୍ ଏହି ଆକ୍ରମଣ କରିଥିଲା। ବିଚ୍ଛିନ୍ନତାବାଦୀ ସଙ୍ଗଠନ ଏକ ବିବୃତ୍ତି ଜାରି କରି ଦାବି କରିଛି ଯେ ଏହାର ଫିଦାଇନ୍ ୟୁନିଟ୍ ମାଜିଦ ବ୍ରିଗେଡ୍ ତୁର୍ବତରେ ପାକିସ୍ତାନୀ ସେନା ର ଏକ କାଫିଆ ଉପରେ ଆକ୍ରମଣ କରି ଅନେକ ସୈନିକଙ୍କୁ ହତ୍ୟା କରିଛି। ଖୁବଶୀଘ୍ର ବିସ୍ତୃତ ବିବୃତି ଦିଆଯିବ। ଗତ କିଛି ମାସ ମଧ୍ୟରେ ବିଏଲଏ ବେଲୁଚିସ୍ତାନରେ ବଡ଼ ଧରଣର ଆକ୍ରମଣ କରିଛି।
ବିସ୍ଫୋରଣର ପ୍ରକୃତି ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି। ବୋମା ବିସ୍ଫୋରଣକୁ ନିନ୍ଦା କରିଛନ୍ତି ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗଟି । ଏକ ବିବୃତ୍ତିରେ ବୁଗଟି କହିଛନ୍ତି ଯେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିବା ଲୋକମାନେ ମଣିଷ ବୋଲି କହିବାକୁ ଯୋଗ୍ୟ ନୁହଁନ୍ତି। ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।
ବେଲୁଚିସ୍ତାନରେ ବିଏଲଏର ସଦ୍ୟତମ ଆକ୍ରମଣ ପ୍ରମାଣ କରୁଛି ଯେ ନିଷିଦ୍ଧ ସଂଗଠନ ଶକ୍ତିଶାଳୀ ହେବାରେ ଲାଗିଛି। ପାକିସ୍ତାନର ଜିଓ ନ୍ୟୁଜ୍ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ବିଏଲଏ ଆକ୍ରମଣରେ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ଦୁର୍ବତର ଦସ୍ତ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ତାଲିବାନ ସରକାର ଫେରିବା ପରେ ପାକିସ୍ତାନ ଭିତରେ ଉଗ୍ରବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ସେପ୍ଟିକ୍ ଟାଙ୍କିରୁ ୪ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର