ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶ ଆଜିକାଲି ବାୟୁ ପ୍ରଦୂଷଣର ଶିକାର ହେଉଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)କୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର, ମୁଲତାନ ଭଳି ଧୂଆଁ ଦ୍ୱାରା ପ୍ରଭାବିତ ସହରରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ପ୍ରଦୂଷଣର ମୁକାବିଲା ପାଇଁ ଆହୁରି ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି।
ପଞ୍ଜାବ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଶୁକ୍ରବାର ଲାହୋରର ସମସ୍ୟା ଉପରେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ ଧୂଆଁ ସମସ୍ୟା ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି। ଏହାର ମୁକାବିଲା ପାଇଁ ଅନେକ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶସରକାରଙ୍କ ୧୦ ବର୍ଷର ଜଳବାୟୁ ପରିବର୍ତ୍ତନ ନୀତି ଘୋଷଣା କରିଛନ୍ତି, ଯେଉଁଥିରେ ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଥଇଥାନ ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ।
ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ ପଞ୍ଜାବର ରାଜଧାନୀ ଲାହୋର ଏବଂ ମୁଲତାନରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି। ଏଠାରେ ଏକ୍ୟୁଆଇ ଦୁଇଥର ୨,୦୦୦ ଅତିକ୍ରମ କରିଛି। ଖରାପ ଏକ୍ୟୁଆଇ ଦୃଷ୍ଟିରୁ ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ।
ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଛନ୍ତି ଯେ ମୁଲତାନ ଏବଂ ଲାହୋରରେ ସପ୍ତାହରେ ତିନି ଦିନ- ଶୁକ୍ରବାର, ଶନିବାର ଏବଂ ରବିବାର ସଂପୂର୍ଣ୍ଣ ଲକଡାଉନ୍ ରହିବ। କେବଳ ଏତିକି ନୁହେଁ, ଏକ ସପ୍ତାହ ପାଇଁ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି।
ପଞ୍ଜାବ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଲାହୋର ଏବଂ ମୁଲତାନରେ ସ୍କୁଲବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଲତାନ ଏବଂ ଲାହୋରରେ ରେଷ୍ଟୁରାଣ୍ଟ, ଦୋକାନ, ବଜାର ଏବଂ ସପିଂ ମଲ୍ ରାତି ୮ଟା ସୁଦ୍ଧା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲାହୋର ଏବଂ ମୁଲତାନରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ବର୍ତ୍ତମାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରାତି ୮ଟା ପର୍ଯ୍ୟନ୍ତ ଟେକ୍ ଅୱେ ସେବା କାର୍ଯ୍ୟକ୍ଷମ ରହିବ।
ଅଧିକ ପଢ଼ନ୍ତୁ: ଵାୟୁପ୍ରଦୂଷଣ ଯୋଗୁଁ ରାଜଧାନୀରେ ବିଳମ୍ବିତ ହେଲା ୩୦୦ରୁ ଉର୍ଧ୍ଵ ବିମାନ