ଜେରୁସେଲମ: ଲେବନାନର ବେକା ଉପତ୍ୟକାରେ ଇସ୍ରାଏଲ ସେନା ଆକ୍ରମଣ କରିବାକୁ ଯାଉଛି ବୋଲି ସୋମବାର ଚେତାବନୀ ଦେଇଛି। ହେଜବୁଲ୍ଲା ସେଠାରେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ଇସ୍ରାଏଲ ସନ୍ଦେହ କରୁଛି। ସେ ସାଧାରଣ ନାଗରିକମାନଙ୍କୁ ସେଠାରୁ ଚାଲିଯିବାକୁ ନିବେଦନ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ଡାନିଏଲ ହାଗରୀ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନିଜ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଘରଠାରୁ ଦୂରତା ବଜାୟ ରଖନ୍ତୁ।
ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଆକ୍ରମଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏ ନେଇ ସେ ଅଧିକ ସୂଚନା ଦେଇନଥିଲେ। ସୋମବାର ହାଗରୀଙ୍କ ଏହା ଦ୍ୱିତୀୟ ଚେତାବନୀ ଥିଲା। ଆଜି ସକାଳେ ହିଜବୁଲ୍ଲା କ୍ରୁଜ୍ କ୍ଷେପଣାସ୍ତ୍ର ରଖିଥିବା ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିବାକୁ ଯୋଜନା କରିଥିବାରୁ ଦକ୍ଷିଣ ଲେବାନନର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା।
ଇସ୍ରାଏଲର ସାମରିକ ମୁଖପାତ୍ର ଆଭିଚାଇ ଆଡ୍ରେଇ ଏକ ବିବୃତିରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ପ୍ରାୟ ୩୦୦ ଘର ଉପରେ ଆକ୍ରମଣ କରିଛି ଯେଉଁଠାରେ ହିଜବୁଲ୍ଲା କ୍ଷେପଣାସ୍ତ୍ର ଲୁଚାଇ ରଖିଛି।
ଆଇଡିଏଫ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ସୋମବାର ଲେବାନନ ଉପରେ ତୃତୀୟ ଥର ପାଇଁ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଛି। ଲେବନାନର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ, ଆକ୍ରମଣ ପୁଣି ଆରମ୍ଭ ହୋଇଛି। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ଇସ୍ରାଏଲ ଅଧିକାରୀଙ୍କ କହିବା ଅନୁଯାୟୀ, ହେଜବୁଲ୍ଲା ରବିବାର ଉତ୍ତର ଇସ୍ରାଏଲର ବେନିଆମିନା ସହର ନିକଟରେ ଥିବା ଆଇଡିଏଫ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇସ୍ରାଏଲର ଗୋଲାନି ବ୍ରିଗେଡ୍ ର ପ୍ରଶିକ୍ଷଣ ଶିବିରରେ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ର ଏକ ଦଳ ଲଞ୍ଚ୍ କରିଛି ଲେବାନନ୍ ସ୍ଥିତ ଏହି ସଂଗଠନ।
ଅଧିକ ପଢ଼ନ୍ତୁ: ଇସ୍ରାଏଲ୍ର ସାମରିକ ଘାଟିକୁ ଟାର୍ଗେଟ କଲା ହେଜବୁଲ୍ଲା