ପର୍ଥ: ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ମୁକାବିଲା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଏହି ମହାମୁକାବିଲାରେ ଭାରତ ଓ ଅଷ୍ଟ୍ରେଲିଆ ଅବତୀର୍ଣ୍ଣ ହୋଇଛନ୍ତି। ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରୁ ଆରମ୍ଭ ହୋଇଥିବା ବେଳେ ଟସ୍ ପଡ଼ିସାରିଛି। ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ଏହି ମ୍ୟାଚର ନେତୃତ୍ବ ନେଇଛନ୍ତି ଦୁଇ ଦ୍ରୁତ ବୋଲର। ନିଜ ଶାଣିତ ବୋଲିଂ ତଥା ସୁଦକ୍ଷ ନେତୃତ୍ବ ପାଇଁ ପରିଚିତ ପ୍ୟାଟ୍ କମିନ୍ସ ଘରୋଇ ଅଷ୍ଟ୍ରେଲିଆର ଅଧିନାୟକ ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସାଂପ୍ରତିକ କ୍ରିକେଟ୍ର ସବୁଠାରୁ ଘାତକ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ମଙ୍ଗ ଧରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଅପ୍ଟସ୍ ଷ୍ଟାଡିୟମରେ ମୋଟ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ଯେଉଁଠି ଅଷ୍ଟ୍ରେଲିଆ ଦଳ ପ୍ରତିଥର ଟସ୍ ଜିତିଛି। ଖାସ୍ କଥା ହେଉଛି ପ୍ରତିଥର ଟସ୍ ଜିତି କଙ୍ଗାରୁ ଦଳ ଏଠାରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ୪ ଥର ଟେଷ୍ଟ୍ ମ୍ୟାଚ୍ ରେ ବ୍ୟାଟିଂ କରିବା ପରେ ଅଷ୍ଟ୍ରେଲିଆ ଦଳ ସବୁ ମ୍ୟାଚ୍ ଜିତିଛି।
ପର୍ଥ ପରୀକ୍ଷା ପୂର୍ବରୁ ଉଭୟ କମିନ୍ସ ଓ ବୁମ୍ରା ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ର ଅଧିନାୟକ ଦାୟିତ୍ବ ତୁଲାଇବା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି।
ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ଯଶ୍ପ୍ରୀତ୍ ବୁମ୍ରା (ଅଧିନାୟକ), ମହମ୍ମଦ ସିରାଜ, ହର୍ଷିତ ରାଣା
ଅଷ୍ଟ୍ରେଲିଆ ଦଳ: ନାଥନ ମ୍ୟାକ୍ସ୍ବିନୀ, ଉସମାନ ଖୱାଜା, ମାର୍ନସ ଲବୁସେନ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜଲେଉଡ୍।
ଅଧିକ ପଢ଼ନ୍ତୁ: ପର୍ଥ ଟେଷ୍ଟରେ ଟିମରେ ଯୋଗ ଦେବେ ରୋହିତ ଶର୍ମା