ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଛି। ଭାରତ ବିରୋଧରେ ଲଗାତାର ମିଥ୍ୟା ଅଭିଯୋଗ କରୁଥିବା କାନାଡା ସରକାର ଓ ଏହାର ଗଣମାଧ୍ୟମ ଏବେ ବି ଏଥିରୁ ବି ପଛଘୁଞ୍ଚା ଦେଉନାହାନ୍ତି। ଜଷ୍ଟିନ ଟ୍ରୁଡୋଙ୍କ କାନାଡା ଗଣମାଧ୍ୟମ ଭାରତ ସରକାରଙ୍କ ବିରୋଧରେ ଏକ ନୂଆ ଷଡ଼ଯନ୍ତ୍ର କରିଛି। ବୁଧବାର କାନାଡାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଥିଲେ ବୋଲି ରିପୋର୍ଟରେ ଅଭିଯୋଗ କରାଯାଇଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଏଭଳି ଗଣମାଧ୍ୟମ ରିପୋର୍ଟକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥାଉ। ତେବେ କାନାଡ଼ା ସରକାରଙ୍କ ଏକ ସୂତ୍ରରୁ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ସମାନ ଅବମାନନା ସହ ପ୍ରତ୍ୟାଖ୍ୟାନ କରାଯିବା ଉଚିତ। ଏଭଳି ଅପମାନଜନକ ଅଭିଯାନ ଆମର ପୂର୍ବରୁ ତିକ୍ତ ଥିବା ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି।
କାନାଡାର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ବିଷୟରେ ଅବଗତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ତେବେ ଏହି ଦାବିକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାନାଡା ପାଖରେ କୌଣସି ଦୃଢ଼ ପ୍ରମାଣ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
କାନାଡା ପାଖରେ କୌଣସି ବିଶ୍ୱସନୀୟ ପ୍ରମାଣ ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଭିଯୋଗ ବିଷୟରେ ଅବଗତ ଥିଲେ। ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ପୂର୍ବରୁ ଭାରତର ତିନି ଜଣ ବରିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କ ସହ ଏଭଳି ଟାର୍ଗେଟ୍ କିଲିଂ ବିଷୟରେ ଆଲୋଚନା କରିବେ ନାହିଁ, ତାହା ଅକଳ୍ପନୀୟ ହେବ।
ଏହା ପ୍ରଥମ ଥର ନୁହେଁ ଯେ କାନାଡା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିଥିବା ନେଇ ଭାରତ ଉପରେ ଅଭିଯୋଗ ଆଣିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏ ନେଇ ଭାରତ ଉପରେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି।
ଅଧିକ ପଢ଼ନ୍ତୁ: ନୈନିତାଲ ରାଜପଥରେ ମୁହାଁମୁହିଁ ହେଲେ ଏକ ଡଜନ ଗାଡ଼ି