ହେଗ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ହାମାସ ଓ ହିଜବୁଲ୍ଲା ସହ ଯୁଦ୍ଧ ଚାଲିଥିବା ଗାଜା ଓ ଲେବାନନରେ ସଂଘର୍ଷ ସମୟରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ହେଗ୍ ସ୍ଥିତ ବିଶ୍ବ ନ୍ୟାୟାଳୟ ଇସ୍ରାଏଲ୍ର ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।
ଅନ୍ତର୍ଜାତୀୟ ଅପରାଧକ ଅଦାଲତ ମଧ୍ୟ ହାମାସର ସାମରିକ ମୁଖ୍ୟ ମହମ୍ମଦ ଡେଫ୍ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସରକାରୀ ବିବୃତିରେ ବିଶ୍ୱ ଅଦାଲତ କହିଛନ୍ତି ଯେ ଯୁଦ୍ଧ ଅପରାଧ ପାଇଁ ଦୁଇ ଜଣ ବ୍ୟକ୍ତି ବେଞ୍ଜାମିନ ନେତାନ୍ୟାହୁ ଏବଂ ୟୋଭ ଗାଲାଣ୍ଟଙ୍କୁ ଦାୟୀ କରି ଚେମ୍ବର ଏହି ୱାରେଣ୍ଟ ଜାରି କରିଛି।
ସିଧାସଳଖ କହିବାକୁ ଗଲେ ନେତନ୍ୟାହୁ ଏବଂ ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ହତ୍ୟା, ନିର୍ଯାତନା ଓ ଅମାନବୀୟ କାର୍ଯ୍ୟ ସମେତ ମାନବିକତା ବିରୋଧୀ ଅପରାଧ କରିବା ସହ ଯୁଦ୍ଧର ଏକ ପଦ୍ଧତି ଭାବରେ ଅନାହାରର ଯୁଦ୍ଧ ଅପରାଧ କରୁଛନ୍ତି ବୋଲି ଆଇସିସି ଅଭିଯୋଗ କରିଛି।
ଆଇସିସି ନିଜ ନେତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଇସ୍ରାଏଲ ଖଣ୍ଡନ କରିଛି। ଇସ୍ରାଏଲ କହିଛି ଯେ ଏଭଳି ନିଷ୍ପତ୍ତି ଆଇସିସିଅଧୀନରେ ଆସୁନାହିଁ। ଇସ୍ରାଏଲର ମୁଖ୍ୟ ବିରୋଧୀ ଦଳ ନେତା ୟାଇର୍ ଲିପିଡ୍ ମଧ୍ୟ ଏହି ଆଦେଶକୁ ନିନ୍ଦା କରିବା ସହ ଏହାକୁ ଆତଙ୍କବାଦ ପାଇଁ ପୁରସ୍କାର ବୋଲି କହିଛନ୍ତି।
ଆଇସିସିର ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ହେଗସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟର ସେମେଟିକ୍ ବିରୋଧୀ ରାୟ ଏକ ଆଧୁନିକ ଡ୍ରେଫସ୍ ବିଚାର ଏବଂ ଏହା ସମାନ ଢଙ୍ଗରେ ଶେଷ ହେବ। ଯେଉଁଥିରେ ଆଲଫ୍ରେଡ୍ ଡ୍ରେଫସ ନାମକ ଜଣେ ଇହୁଦୀ ଫ୍ରାନ୍ସ ସେନା ଅଧିକାରୀଙ୍କୁ ଜର୍ମାନମାନଙ୍କୁ ସାମରିକ ରହସ୍ୟ ବିକ୍ରି କରିବା ଅଭିଯୋଗରେ ଦେଶଦ୍ରୋହ ଅଭିଯୋଗରେ ଭୁଲ ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପରେ ସେ ଦୋଷୀ ସାବ୍ୟସ୍ତ ହୋଇ ଫ୍ରାନ୍ସ ସେନାରେ ପୁନଃ ଅବସ୍ଥାପିତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ହେଜବୁଲ୍ଲାର ଆଶ୍ରୟସ୍ଥଳୀ ଧ୍ୱଂସ