ହାଇଦ୍ରାବାଦ: ତେଲେଙ୍ଗାନା ସରକାରଙ୍କ ବ୍ୟାପକ ସାମାଜିକ-ଅର୍ଥନୈତିକ, ରୋଜଗାର, ରାଜନୈତିକ ଏବଂ ଜାତିଗତ ସର୍ଭେ ବୁଧବାର ଠାରୁ ଆରମ୍ଭ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଜାତିଭିତ୍ତିକ ସର୍ଭେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଏହି ସର୍ଭେକୁ ସାମାଜିକ ନ୍ୟାୟ ଏବଂ ଶୋଷିତ ବର୍ଗଙ୍କ ପାଇଁ ସୁଯୋଗର ସମାନତା ହାସଲ କରିବା ପାଇଁ ଏକ ଯଜ୍ଞ ବୋଲି କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବିଶାଳ ଅଭିଯାନ ଏକ ସାହସିକ କାର୍ଯ୍ୟ ଯାହା ଦେଶର ସାମାଜିକ ଦୃଷ୍ଟିକୋଣକୁ ବଦଳାଇଦେବ। ରେଡ୍ଡୀ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମାଙ୍କୁ ଭେଟି ସର୍ଭେ ସମ୍ପର୍କରେ ଅବଗତ କରାଇଥିଲେ। ୨୦୨୫ରେ ହେବାକୁ ଥିବା ଜାତୀୟ ଜନଗଣନା ସମୟରେ ଏହାକୁ ବିଚାରକୁ ନିଆଯାଇ ଏହି ସର୍ଭେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ସେ ଅନୁରୋଧ କରିଛନ୍ତି।
ରାଜ୍ୟ ପରିବହନ ମନ୍ତ୍ରୀ ପୋନମ ପ୍ରଭାକର ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) କାର୍ଯ୍ୟାଳୟରେ ଏହି ସର୍ଭେର ଶୁଭାରମ୍ଭ କରିଥିଲେ ଏବଂ ଗଣନାକାରୀଙ୍କୁ ସହଯୋଗ କରିବା ଏବଂ ସଠିକ୍ ସୂଚନା ପ୍ରଦାନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ତଥ୍ୟ ଗୋପନୀୟ ରହିବ ଏବଂ ଅସମାନତା ଦୂର କରିବା ଏବଂ ସମସ୍ତଙ୍କ ପାଇଁ ସମାନ ନ୍ୟାୟ ସୁନିଶ୍ଚିତ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।
ରାଜ୍ୟ ଆଇଟି ମନ୍ତ୍ରୀ ଡି.ଶ୍ରୀଧର ବାବୁ ଆଲୋକପାତ କରି କହିଛନ୍ତି ଯେ ଏହି ସର୍ଭେ ସମାଜର ବିଭିନ୍ନ ବର୍ଗପାଇଁ ଲକ୍ଷ୍ୟଯୁକ୍ତ କଲ୍ୟାଣ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସରକାରଙ୍କୁ ସାହାଯ୍ୟ କରିବ । କଂଗ୍ରେସ ନେତା ରାହୁଲ ଗାନ୍ଧି ନଭେମ୍ବର ୫ରେ ଜାତି ସର୍ବେକ୍ଷଣ ଉପରେ ତେଲେଙ୍ଗାନା କଂଗ୍ରେସର ଏକ ବୈଠକରେ ଯୋଗ ଦେଇଥିଲେ। ଏଥିସହିତ ଜାତିଭିତ୍ତିକ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟକୁ ଏକ ମଡେଲ କରିବାକୁ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ସର୍ଭେରେ କିଛି ପ୍ରାରମ୍ଭିକ ତ୍ରୁଟି ରହିଥିଲେ ମଧ୍ୟ ତାହାର ସମାଧାନ କରାଯିବ ବୋଲି ସେ ସ୍ୱୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ବିଦ୍ରୋହୀଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ