ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବରୋଦା କ୍ରିକେଟ୍ ଦଳ ଇତିହାସ ରଚିଛି। ଇନ୍ଦୋରରେ ଗୁରୁବାର ଏହି ଦଳ ଟି-୨୦ କ୍ରିକେଟ୍ର ସବୁଠାରୁ ବଡ଼ ସ୍କୋର କରିଛି। ସିକ୍କିମ ବିପକ୍ଷରେ ବରୋଦା ୫ ୱିକେଟ୍ ହରାଇ ୩୪୯ ରନ୍ କରି ବିଶ୍ୱ ରେକର୍ଡ କରିଛି। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ସ୍କୋର। ଆଜି ପୂର୍ବରୁ କୌଣସି ଦଳ ଟି-୨୦ରେ ଏତେ ରନ୍ କରିନାହାନ୍ତି। ପୂର୍ବରୁ ସର୍ବାଧିକ ରନ୍ କରିବାର ରେକର୍ଡ ଜିମ୍ବାୱେ ବିପକ୍ଷରେ ଥିଲା। ଚଳିତ ବର୍ଷ ଗାମ୍ବିଆ ବିପକ୍ଷରେ ଜିମ୍ବାୱେ ୨୦ ଓଭରରେ ୩୪୪ ରନ୍ କରିଥିଲା।
୩୪୯ ରନ୍ କରିଥିବା ବେଳେ ବରୋଦା ପକ୍ଷରୁ ସବୁଠାରୁ ଜବରଦସ୍ତ ବ୍ୟାଟିଂ କରିଥିଲେ ଭାନୁ ପାନିଆ, ଯିଏ କି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ଖେଳାଳି ୨୬୨.୭୫ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ୫୧ ବଲ୍ରୁ ଅପରାଜିତ ୧୩୪ ରନ୍ କରିଥିଲେ। ସେ ନିଜ ଇନିଂସରେ ୧୫ଟି ଛକା ଓ ୫ଟି ଚୌକା ମାରିଥିଲେ। ଏହାବ୍ୟତୀତ ଓପନର ଶାଶ୍ୱତ ରାୱତ (୪୩ ରନ୍) ଓ ଅଭିମନ୍ୟୁ ସିଂହ ରାଜପୁତ (୫୩ ରନ୍) ଦଳକୁ ଭଲ ଆରମ୍ଭ ଦେଇଥିଲେ।
ଶିବାଲିକ ଶର୍ମା ୫୫ ଓ ବିଷ୍ଣୁ ସୋଲାଙ୍କି ମଧ୍ୟ ୧୬ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ବ୍ୟାଟ୍ସମ୍ୟାନଙ୍କ ଯୋଗୁଁ ବରୋଦା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା। ସିକ୍କିମ ବିପକ୍ଷରେ ବରୋଦା ଏହି ଇନିଂସରେ ମୋଟ ୩୭ଟି ଛକା ମାରିଥିଲା।
ବରୋଦା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କ୍ରୁନାଲ ପାଣ୍ଡ୍ୟା ଏହି ମ୍ୟାଚରେ ବରୋଦାର ନେତୃତ୍ୱ ନେଉଥିବା ବେଳେ ତାଙ୍କ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚର ଅଂଶ ନଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପୂର୍ବରୁ ସର୍ବାଧିକ ଦଳୀୟ ସ୍କୋର ପଞ୍ଜାବର ଥିଲା, ଯିଏ ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଆନ୍ଧ୍ର ବିପକ୍ଷରେ ୨୭୫ ରନ୍ କରିଥିଲା।
ଟି-୨୦ କ୍ରିକେଟରେ ସର୍ବୋଚ୍ଚ ଦଳୀୟ ସ୍କୋର
-ବରୋଦା ୩୪୯/୫ ବନାମ ସିକିମ-୨୦୨୪
-ଜିମ୍ବାୱେ ୩୪୪/୪ ବନାମ ଗାମ୍ବିଆ-୨୦୨୪
--ନେପାଳ ୩୧୪/୩ ବନାମ ମଙ୍ଗୋଲିଆ-୨୦୨୩
-ଭାରତ ୨୯୭/୬ ବନାମ ବାଂଲାଦେଶ-୨୦୨୪
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଧୂଳି ଚଟାଇ ଭାରତର ହ୍ୟାଟ୍ରିକ ବିଜୟ