ପହଲଗାମ୍ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତ ପାକ୍ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେକୌଣସି ସମୟରେ ଭାରତ ପକ୍ଷରୁ ଯୁଦ୍ଧ ଘୋଷଣା ହୋଇପାରେ ବୋଲି ପାକିସ୍ତାନ ଆଶଙ୍କା କରି ଭୟରେ ଅଛି । ଏହାରି ଭିତରେ ପାକ୍ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଭାରତକୁ ଚେତାବନୀ ଦେଇଛନ୍ତି।
ଅହମ୍ମଦ ସରିଫ ଫମ୍ପା ଧମକ ଦେଇ କହିଛନ୍ତି, ଭାରତ ଯଦି ଆମ ଉପରେ ଆକ୍ରମଣ କରେ ତେବେ ଆମେ ତାର ଦୃଢ଼ ଜବାବ ଦେବୁ । ବଲିଉଡ୍ ସିନେମାର ଡାଇଲଗ ଭଳି ସରିଫ କହିଛନ୍ତି ଯେ ଭାରତ ଯୁଦ୍ଧ ଆରମ୍ଭର କରିବାର ସ୍ଥାନ ସ୍ଥିର କରୁ ପାକିସ୍ତାନ କହିବ ଯୁଦ୍ଧ କେଉଁଠି ଶେଷ ହେବ। ଅର୍ଥାତ୍ ଭାରତକୁ ପାକିସ୍ତାନ ଯୁଦ୍ଧରେ ହରାଇ ଦେବ ।
ସେ ଆହୁରି କହିଛନ୍ତି ଯେ, ଆମର ସମସ୍ତ ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ଭାରତକୁ ଠିକଣା ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି । ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।
ପାକିସ୍ତାନର ଏହି ଧମକକୁ ଅନେକ ବିଶେଷଜ୍ଞ “ଫମ୍ପା ଧମକ” ବୋଲି କହିଛନ୍ତି, କାରଣ ଏହା ଦେଶର ଅଭ୍ୟନ୍ତରୀଣ ରାଜନୈତିକ ଓ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ଏକ ପ୍ରଚାର ରଣନୀତି ହୋଇପାରେ। ପାକିସ୍ତାନର ସୂଚନା ମନ୍ତ୍ରୀଙ୍କ ମଧ୍ୟରାତ୍ରି ସାମ୍ବାଦିକ ସମ୍ମିଳନୀ ଏବଂ ସେନାର ବୟାନକୁ ଅନେକେ ଭାରତର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପ୍ରତି ଭୟର ପ୍ରତିଫଳନ ବୋଲି ଦେଖୁଛନ୍ତି। ଅନ୍ୟପକ୍ଷରେ, ଭାରତର ଅତୀତ ଇତିହାସ, ଯେପରିକି ୨୦୧୬ରେ ଉରୀ ଓ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ସାର୍ଜିକାଲ ଷ୍ଟ୍ରାଇକ, ଏକ ଦୃଢ ପ୍ରତିକ୍ରିୟାର ସମ୍ଭାବନାକୁ ସୂଚାଇ ଦେଉଛି।
ଅଧିକ ପଢନ୍ତୁ:ଆକ୍ରମଣର ୭ଦିନ ପୂର୍ବରୁ ପହଲଗାମ୍ରେ ଥିଲେ ଆତଙ୍କବାଦୀ, ୨ ଦିନ ଆଗରୁ କରିଥିଲେ ରେକି, ଟାଗେର୍ଟରେ ଥିଲା ୪ ପର୍ଯ୍ୟଟନସ୍ଥଳୀ