କାଇରୋ: ଗାଜାରେ ଭୀଷଣ ଖାଦ୍ୟସଙ୍କଟ । ଯାହା ଫଳରେ ଦିନକୁ ଦିନ ଖାଦ୍ୟ ସାମଗ୍ରୀ ଦୋକାନ ଓ ସାମୁହିକ ଭୋଜନ ନିମନ୍ତେ ରୋଷେଇ ସ୍ଥଳ ଉପରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ ଓ ଲୁଟପାଟ ଦେଖିବାକୁ ମିଳୁଛି ।
ପାଲେଷ୍ଟାନୀୟ ନାଗରିକ ଓ ସେଠାକାର ଯୋଗାଣ ଅଧିକାରୀଙ୍କ ମୁତାବକ ସର୍ବନିମ୍ନ ପାଞ୍ଚଥର ସାମୁହିକ ରୋଷେଇସ୍ଥଳ, ଖାଦ୍ୟ ସାମଗ୍ରୀ ଦୋକାନ ଏବଂ ଜାତିସଂଘର ଆଶ୍ରୟସ୍ଥଳୀ ଗୁଡିକ ଉପରେ ଲୁଟେରାଙ୍କ ଆକ୍ରମଣ ଦେଖିବାକୁ ମିଳୁଛି । ଗତ ମାର୍ଚ୍ଚ 2 ତାରିଖରୁ ଇସ୍ରାଏଲ, ଗାଜାକୁ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଥିଲା । ବୁଧବାର ହଜାର ହଜାର ବିସ୍ଥାପିତ ଜନସଂଖ୍ୟା ଜାତିସଂଘର ରିଲିଫ ସଂଶାଧନ ବଣ୍ଟନ କେନ୍ଦ୍ରରେ ଧସେଇ ପଶି ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଲୁଟି ନେଇଥିଲେ ।
ଖାଦ୍ୟ ପାଇଁ ହେଉଥିବା ଲୁଟପାଟ୍ ସେଠାକାର ଜଟିଳ ପରିସ୍ଥିତି ସମ୍ପର୍କରେ ଅତି ଗମ୍ଭୀର ତଥ୍ୟ ଦେଉଛି । ଲଗାତାର ଆକ୍ରମଣ, କ୍ଷୁଧା, ଖାଦ୍ୟାଭାବ, ଅସରନ୍ତି ଯୁଦ୍ଧ ନାଗରିକଙ୍କର ମନୋଭାବକୁ ଦୁର୍ବଳ କରିବା ସହିତ ଏକ ଅନିଶ୍ଚିତତାପୂର୍ଣ୍ଣ ଭବିଷ୍ୟତ ଆଡକୁ ଠେଲି ହୋଇଯାଉଛି । ଆଈନଶୃଙ୍ଖଳା ପରିସ୍ଥିତି ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ।
ଇସ୍ରାଏଲ ସେନା ବର୍ତମାନ ସ୍ଥଳ ଭାଗ ତଥା ଆକାଶମାର୍ଗରୁ ଆକ୍ରମଣ ଜାରି ରଖିଛି । ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁଯାୟୀ ଗୁରୁବାର ହୋଇଥିବା ଆକ୍ରମଣରେ ଅନ୍ୟୁନ୍ୟ ବାର ଜଣ ମୃତ୍ୟୁବରଣ କରିଛନ୍ତି ।