ଇସଲାମାବାଦ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ କଶ୍ମୀର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଭାରତୀୟ ଗୁଇନ୍ଦା ସୂତ୍ରରୁ ପହଲଗାମରେ ହୋଇଥିବା ସମ୍ପ୍ରତି ବର୍ବର ଆତଙ୍କବାଦୀ ଆକ୍ରମଣ ପଛରେ ଇସ୍ରାଏଲକୁ ଆତଙ୍କିତ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ଏବଂ ପାକିସ୍ତାନ ସମର୍ଥିତ ଜିହାଦୀ ସଂଗଠନ ମଧ୍ୟରେ ସମ୍ପର୍କ ଥିବା ଜଣାପଡିଛି। ରିପୋର୍ଟରୁ ପ୍ରକାଶ ଯେ ଚଳିତ ବର୍ଷ ଫେବ୍ରୁଆରୀ ୫ ତାରିଖରେ ହମାସ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ସହିତ ଏକ ରାଲିରେ ଅଂଶଗ୍ରହଣ କରିଥିଲା। ଏହା କାଶ୍ମୀର ଅଞ୍ଚଳରେ ପାଲେଷ୍ଟାଇନୀ ଆତଙ୍କବାଦୀ ସଂଗଠନର ପ୍ରଥମ ଉପସ୍ଥିତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ବର୍ଗୀକୃତ ମୂଲ୍ୟାଙ୍କନରୁ ଜଣାପଡିଛି ଯେ ଗତ ଫେବ୍ରୁଆରୀ ୫ ତାରିଖରେ ପାକିସ୍ତାନ ଅଧୀକୃତ କଶ୍ମୀରରେ ଆୟୋଜିତ ଏକ ରାଲି ସମୟରେ ଏହି ମେଣ୍ଟ ଆନୁଷ୍ଠାନିକ ହୋଇଥିଲା। ଏହି ରାଲିକୁ 'କଶ୍ମୀର ସଲିଡାରିଟି ଏବଂ ହମାସ ଅପରେସନ୍ ଅଲ-ଆକସା ଫ୍ଲଡ୍ କନଫରେନ୍ସ' ନାମ ଦିଆଯାଇଥିଲା। ପହଲଗାମ ଆକ୍ରମଣ ଯୋଜନା ସହିତ ଜଡିତ ଆତଙ୍କବାଦୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି।
ସହିଦ ସାବିର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ହମାସ ପିଓକେରେ ପ୍ରଥମ ଆନୁଷ୍ଠାନିକ ଉପସ୍ଥିତି ହାସଲ କରିଛି। ଏହି କାର୍ଯ୍ୟକ୍ରମରେ ହମାସର ଇରାନସ୍ଥିତ ପ୍ରତିନିଧି ଡକ୍ଟର ଖାଲେଦ ଅଲ-କାଦୁମି ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ଏଥିରେ ପାକିସ୍ତାନ ସମର୍ଥିତ ଜିହାଦୀ ସଂଗଠନଗୁଡ଼ିକ ଅନେକ ପାଲେଷ୍ଟାଇନୀ ଆତଙ୍କବାଦୀଙ୍କ ସହିତ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ମଞ୍ଚରୁ ଭାରତ ବିରୁଦ୍ଧରେ ଧମକ ଦିଆଯାଇଥିଲା ଏବଂ କାଶ୍ମୀର ସମ୍ପର୍କରେ ବିଷ ଓଗାଳି ଦିଆଯାଇଥିଲା।
କାର୍ଯ୍ୟକ୍ରମ ସମୟରେ ମଞ୍ଚରୁ ଭାଷଣ ଦେଉଥିବା ସମୟରେ ଜୈଶ-ଏ-ମହମ୍ମଦର ଜଣେ କର୍ମୀ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଧମକ ଦେଇଥିଲେ। ସେ କହିଥିଲେ, ପାଲେଷ୍ଟାଇନ ଏବଂ କଶ୍ମୀରର ଯୋଦ୍ଧାମାନେ ଏବେ ଏକାଠି ମାର୍ଚ୍ଚ କରିବେ। ଦିଲ୍ଲୀରେ ରକ୍ତପାତ ହେବ ଏବଂ କଶ୍ମୀର ଭାରତରୁ ଅଲଗା ହୋଇଯିବ।
ଅଧିକ ପଢ଼ନ୍ତୁ: ଭାରତକୁ ଏପରି ଅସ୍ତ୍ର ଦେଲା ଆମେରିକା!