ତାପିଦା: ମିଆଁମାରେର ମୃତ୍ୟୁ ତାଣ୍ଡବ ଲୀଳା ଜାରି ରହିଛି । ହୁ ହୁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା, ସେହିପରି ବେଳକୁ ବେଳ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମିଆଁମାରେର ମୃତକ ସଂଖ୍ୟା ୧୦୦୦ ଟପିଥିବାବେଳେ ଗୁରୁତର ହୋଇଛନ୍ତି ୨୩୭୬ ଜଣ । ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଥାଇଲାଣ୍ଡରେ ମଧ୍ୟ ପ୍ରାୟ ୧୦ ଜଣଙ୍କର ପ୍ରାଣ ଯାଇଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଭାରତ ସମେତ ବିଶ୍ୱ ଅନେକ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି । ଭାରତ ଏକ ସ୍ୱତନ୍ତ୍ର ବିମାନରେ ୧୫ ଟନର ରିଲିଫ୍ ସାମଗ୍ରୀ ପଠାଇଛି । ଯେଉଁଥିରେ ଔଷଧଠାରୁ ଆରମ୍ଭ କରି ପଲିଥିନ ପର୍ୟ୍ୟନ୍ତ ରଖାଯାଇଛି । ସେହିପରି ମ୍ୟାଲେସିଆ ମଧ୍ୟ ରବିବାର ଆହୁରି ଉଦ୍ଧାରକାରୀ ଦଳ ପଠାଇବ ।
ଶକ୍ତିଶାଳୀ ଭୂକମ୍ପରେ ଦୋହଲିଯାଇଛି ମିଆଁମାରର ମେରୁ ଦଣ୍ଡ । ମିଆଁମାରରେ ଭଙ୍ଗା ଘର ତଳେ ଜୀବନ ଖୋଜା ଚାଲିଛି । ଗତକାଲି ପ୍ରାୟ ୬ ଥର ଭୂକମ୍ପ ଝଟରା ଅନୁଭୂତ ହୋଇଥିବା କୁହାଯାଉଛି । ଗତକାଲି ସ୍ଥାନୀୟ ସମୟ ୧୧ଟା ବାଜି ୫୬ ମିନିଟ୍ ରେ ମିଆଁମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା । ଏହାର କିଛି ସମୟ ପରେ ପୁଣି ଆଉ ଏକ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬.୪ ଥିଲା । ତାସ୍ ଭଳି ଭୁଷୁଡ଼ି ପଡ଼ାଥିଲା ବଡ଼ ବଡ଼ ସୁଉଚ୍ଚ ଅଟ୍ଟାଳିକା । ସବୁଆଡ଼େ ଶୁଭିଥିଲା ଖାଲି ଚିତ୍କାର । ଏଥିରେ ପଡ଼ୋଶୀ ଥାଇଲାଣ୍ଡ ମଧ୍ୟ ଥରି ଉଠିଥିଲା । ସେହିପରି ଚୀନ ସହିତ ଭାରତର ମଣିପୁର ଏବଂ ମେଘାଳୟରେ ମଧ୍ୟ ଏହି ଝଟକା ଲାଗିଥିଲା ।