ନୂଆଦିଲ୍ଲୀ: ହମାସ ଗାଜା ପଟ୍ଟିରେ ଇସ୍ରାଏଲ ସହିତ ଅସ୍ତ୍ରବିରତି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ହମାସ ପକ୍ଷରୁ ଶନିବାର କୁହାଯାଇଛି ଯେ, ସେ ମଧ୍ୟସ୍ଥ ସାଜିଥିବା ଇଜିପ୍ଟ ଓ କାତାର ଦ୍ୱାରା ପ୍ରସ୍ତାବିତ ଅସ୍ତ୍ରବିରତି ପ୍ରସ୍ତାବକୁ ସ୍ୱୀକାର କରିଛି । ମାତ୍ର ଦ୍ୱିଧା ସେହି ସମୟରେ ଉପୁଜିଛି ଯେବେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଦେଶ ଆମେରିକା ସହ ମିଶି ଏକ ନୂଆ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବରେ ଇସ୍ରାଏଲ ପକ୍ଷରୁ ମୁକ୍ତ ହେବାକୁ ଥିବା ବନ୍ଧକଙ୍କ ସଂଖ୍ୟାରେ ପରିବର୍ତ୍ତନ କରାଯାଇଛି ।
ଗାଜାରେ ଅସ୍ତ୍ରବିରତି ପାଇଁ ଇଜିପ୍ଟ ଓ କାତାର ଗତ କିଛି ସମୟରୁ ଲଗାତାର ଉଦ୍ୟମ ଚଳାଇ ଆସିଥିଲେ । ଦୁଇ ଦେଶ ହମାସ ସମ୍ମୁଖରେ ଏକ ପ୍ରସ୍ତାବ ରଖିଥିଲେ । ଇଜିପ୍ଟ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି ଯେ, ରାଜିନାମା ଆଧାରରେ ହମାସ ଜଣେ ଆମେରିକୀୟ-ଇସ୍ରାଏଲି ସମେତ ପାଞ୍ଚ ଜୀବିତ ବନ୍ଧକଙ୍କୁ ମୁକ୍ତ କରିବ । ଏହାରି ବଦଳରେ ଇସ୍ରାଏଲ ଗାଜାରେ ମାନବୀୟ ସହାୟତା ପ୍ରଦାନ କରିବ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ହେବ । ଏହା ସହିତ ଇସ୍ରାଏଲ ଶତାଧିକ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ ।
ଗାଜାରେ ହମାସ ନେତା ଖଲିଲ ଅଲ ହୟା ଏହି ଅସ୍ତ୍ରବିରତି ପ୍ରସ୍ତାବକୁ ସ୍ୱୀକାର ଘୋଷଣା କରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଇସ୍ରାଏଲ ଏହି ପ୍ରସ୍ତାବକୁ ଗ୍ରହଣ କରିବ କି ନାହିଁ । ଇସ୍ରାଏଲ ପକ୍ଷରୁ ଉପସ୍ଥାପିତ ନୂତନ ପ୍ରସ୍ତାବ ଉପରେ ଅଧିକ ସୂଚନା ମିଳିନାହିଁ । ମାତ୍ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଏହି ପ୍ରସ୍ତାବ ଶୁକ୍ରବାର ହୋଇଥିବା ଆଲୋଚନା ପରେ ପ୍ରସ୍ତୁତ ହୋଇଛି ।
ଏହା ପୂର୍ବରୁ ଇସ୍ରାଏଲ ପ୍ରାୟ ୧୦ ଦିନ ପୂର୍ବେ ହମାସ ଉପରେ ବନ୍ଧକକୁ ନ ଛାଡିବାର ଅଭିଯୋଗ ଲଗାଇ ଅସ୍ତ୍ରବିରତି ଉଲ୍ଲଂଘନ କରି ହମଲା କରିଥିଲା । ଏଥିରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ହ୍ୱାଇଟ୍ ହାଉସ ପକ୍ଷରୁ ଇସ୍ରାଏଲକୁ ଉସୁକାଇବା ପାଇଁ ହମାସକୁ ଦାୟୀ କରିଥିଲା । ଇସ୍ରାଏଲ ଚେତାବନୀ ଦେଇଥିଲା ଯେ ପର୍ଯ୍ୟନ୍ତ ହମାସ ୫୯ ବନ୍ଧକକୁ ମୁକ୍ତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ।