ତାପିଦା: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଯାଇଛି ମିଆଁମାରର ମେରୁ ଦଣ୍ଡ । ଏବେ ଚାଲିଛି ମୃତ୍ୟୁର ତାଣ୍ଡବ । କ୍ରମାଗତଭାବେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମିଆଁମାରରେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୭୦୦ ଛୁଇଁବାକୁ ବସିଲାଣି । ଅନ୍ୟପକ୍ଷରେ ଆହତ ସଂଖ୍ୟା ଦେଢ଼ ହଜାର ଉର୍ଦ୍ଧ୍ୱ । ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ମିଆଁମାରରେ ଭଙ୍ଗା ଘର ତଳେ ଜୀବନ ଖୋଜା ଚାଲିଛି । ଏହି ଭୂମି କମ୍ପରେ ପ୍ରାୟ ୬୯୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬୭୦ ଜଣ ଲୋକ ଆହତ ହୋଇଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ନିରନ୍ତରଭାବେ ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି ।
ଗତକାଲି ସ୍ଥାନୀୟ ସମୟ ୧୧ଟା ବାଜି ୫୬ ମିନିଟ୍ ରେ ମିଆଁମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା । ଏହାର କିଛି ସମୟ ପରେ ପୁଣି ଆଉ ଏକ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬.୪ ଥିଲା । ଏଥିରେ ପଡ଼ୋଶୀ ଥାଇଲାଣ୍ଡ ମଧ୍ୟ ଥରି ଉଠିଥିଲା । ସେହିପରି ଚୀନ ସହିତ ଭାରତର ମଣିପୁର ଏବଂ ମେଘାଳୟରେ ମଧ୍ୟ ଏହି ଝଟକା ଲାଗିଥିଲା ।