ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :
ସାରା ବିଶ୍ୱରେ କରୋନା ମହାମାରୀ ସଂକଟ ଜାରି ରହିଛି । ତେବେ କେଉଁଠୁ କରୋନାର ଉତ୍ପତ୍ତି ହୋଇଛି ? ଚୀନର ଉହାନ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ପ୍ରକୃତ ସତ୍ୟ ଖୋଜୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଜି କରୋନାର ଉତ୍ପତ୍ତି ସ୍ଥଳ ଖୋଜିବା ପାଇଁ ଉହାନ ଯାଇଥିବା ହୁ ଟିମକୁ କ୍ୱାରେଣ୍ଟାଇନରେ ରଖିଛି ଚୀନ ।
ଚୀନର ଉହାନରେ ପୁଣି କୋଭିଡ ଆକ୍ରାନ୍ତଙ୍କ ମାମଲା ଆସୁଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନେକ ଥର ଉହାନ ଯିବାକୁ କହିଥିବା ବେଳେ ଚୀନ ପ୍ରତ୍ୟାଖାନ କରୁଥିଲା । ଶେଷରେ ଚୀନ ରାଜି ହେବା ପରେ WHO ର 13 ଜଣ ସଦସ୍ୟ ଉହାନ ସହରରେ ପହଞ୍ଚି କରୋନାର ଉତ୍ପତ୍ତି ଜାଣିବା ପାଇଁ ସେଠାରେ ପହଁଞ୍ଚିଛନ୍ତି । ତେବେ ଚୀନ୍ ସରକାର ସେମାନଙ୍କୁ 14 ଦିନ କ୍ୱାରେଣ୍ଟାଇନରେ ରଖିଛି । WHO ଅନୁସନ୍ଧାନକାରୀ ଦଳରେ ମୋଟ 15 ଜଣ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ସିଙ୍ଗାପୁରର 2 ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ କେବଳ 13 ଜଣ ସଦସ୍ୟ ଚୀନରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ଅନୁସନ୍ଧାନ କରିବା ପରିବର୍ତ୍ତେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିଛି ଚୀନ ।