ୱାଶିଂଟନ୍: ଆମେରିକା ସିରିଆରେ ଡଜନାଧିକ ବିମାନ ଆକ୍ରମଣ କରିଛି। ଯେଉଁଦିନ ଇସଲାମିକ ବିଦ୍ରୋହୀମାନେ ବସର ଅଲ-ଅସଦଙ୍କ ଶାସନକୁ ଉଚ୍ଛେଦ କରି ରାଜଧାନୀ ଦାମାସ୍କସକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ସେହିଦିନ ଆମେରିକା ସିରିଆରେ ତୀବ୍ର ଏୟାର ଷ୍ଟ୍ରାଇକ୍ କରିଥିଲା। ରବିବାର ଦିନ ବଶାର ଅଲ-ଅସଦ ନିଜ ପରିବାର ସହ ଦେଶ ଛାଡ଼ି ରୁଷିଆର ରାଜଧାନୀ ମସ୍କୋ ପଳାଇଥିଲେ। ବିଦ୍ରୋହୀମାନେ ଦମାସ୍କସ୍କୁ ନିଜ ନିୟନ୍ତ୍ରଣକୁ ନେବା ପରେ ସିରିଆରେ ଅସଦ ପରିବାରର ପାଞ୍ଚ ଦଶନ୍ଧିର ଶାସନର ଅନ୍ତ ଘଟିଥିଲା। ଏହି ଘଟଣା ପରେ ଆମେରିକୀୟ ସେନା ଏକ ବିବୃତି ଜାରି କରି କହିଛି ଯେ ସେ କେନ୍ଦ୍ରୀୟ ସିରିଆରେ ୭୫ଟି ଏୟାର ଷ୍ଟ୍ରାଇକ୍ କରିଛି।
ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଘାଟିକୁ ଟାର୍ଗେଟ କରିଛି ଆମେରିକା ସେନା। ସିରିଆ ଆଇଏସ୍ ଆଇଏସ୍ର ଗଡ଼ ଥିଲା। ସିରିଆର ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ-ଜୋଲ୍ନି ମଧ୍ୟ ଆଇଏସ୍ ଆଇଏସ୍ ସହ ଜଡ଼ିତ ଥିଲେ। ତେବେ ପରେ ଏଚ୍ଟିଏସ୍ ଆଇଏସ୍ ଆଇଏସ୍ ଠାରୁ ନିଜକୁ ଅଲଗା କରି ଏହା ବିରୋଧରେ ଅଭିଯାନ ଆରମ୍ଭ କରିଥିଲା।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ସରକାରୀ ବିବୃତି ଜାରି କରି କହିଛି ଯେ ସେ ଡିସେମ୍ବର ୮ (ରବିବାର) ଦିନ କେନ୍ଦ୍ରୀୟ ସିରିଆରେ ଥିବା ଆଇଏସଆଇଏସ୍ ପୋଷ୍ଟ ଏବଂ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଡଜନାଧିକ ନିର୍ଦ୍ଦିଷ୍ଟ ଏୟାର ଷ୍ଟ୍ରାଇକ୍ କରିଥିଲା। ଆତଙ୍କବାଦୀ ସଂଗଠନକୁ ବାହ୍ୟ ଅଭିଯାନ ଚଳାଇବାରୁ ରୋକିବା ପାଇଁ ଆମେରିକା ଏହି ଆକ୍ରମଣ କରିଛି ବୋଲି ବିବୃତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଆଇଏସ୍ ଆଇଏସ୍ର ପୋଷ୍ଟଉପରେ ହୋଇଥିବା ନିର୍ଦ୍ଦିଷ୍ଟ ଏୟାର ଷ୍ଟ୍ରାଇକ୍ରେ ଆମେରିକା ବାୟୁସେନାର ବି-୫୨, ଏଫ୍-୧୫ ଓ ଏ-୧୦ ସମେତ ଅନେକ ବିମାନ ବ୍ୟବହାର କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସିରିଆର ସ୍ଥିତି ଉପରେ ଆଲୋଚନା କରି ଚେତାବନୀ ଦେଇଛନ୍ତି ଯେ ଅସଦ ଶାସନର ପତନ ମଧ୍ୟପ୍ରାଚ୍ୟ ପାଇଁ ବିପଦ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ। ଯଦି ଆଇଏସ୍ ଆଇଏସ୍ ସିରିଆର ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରେ, ... ତେଣୁ ଆମେ ଏପରି ହେବାକୁ ଦେବୁ ନାହିଁ।
ଅଧିକ ପଢ଼ନ୍ତୁ: ଶ୍ରୀନଗର-ବାରାମୁଲା ରାଜପଥରୁ ମିଳିଲା ସନ୍ଦେହଜନକ ବ୍ୟାଗ୍