ଢାକା: ବାଂଲାଦେଶ ଗସ୍ତରେ ଥିବା ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସୋମବାର ସେଠାକାର ବୈଦେଶିକ ପରମର୍ଶଦାତା ମହମ୍ମଦ ତୌହିଦ ହୁସେନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବାଂଲାଦେଶରେ ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଆକ୍ରମଣର ମୁଦ୍ଦା ଉଠାଇଛନ୍ତି ବୈଦେଶିକ ସଚିବ ଶ୍ରୀ ମିସ୍ରୀ । ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସା ପ୍ରସଙ୍ଗ ଉଠାଇଛନ୍ତି ବୋଲି ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ।
ବୈଦେଶିକ ସଚିବ ବିକ୍ରମ ମିସ୍ରୀ କହିଛନ୍ତି, ଆଲୋଚନାରେ ସେ ଭାରତ ବାଂଲାଦେଶ ସହିତ ସକାରାତ୍ମକ, ରଚନାତ୍ମକ ଏବଂ ପାରସ୍ପରିକ ଲାଭର ସମ୍ପର୍କରେ ଗୁରୁତ୍ୱ ଦେଇଛନ୍ତି । ବାଂଲାଦେଶର ଅନ୍ତରୀଣ ସରକାର ସହିତ ମିଶି କାମ କରିବା ଇଚ୍ଛାକୁ ରେଖାଙ୍କିତ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ଉପରେ ସବିଶେଷ ଆଲୋଚନା ହୋଇଛି । ସେଠାରେ ରହୁଥିବା ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଏବଂ କଲ୍ୟାଣ ଉପରେ ସେ ଚିନ୍ତାପ୍ରକଟ କରିଛନ୍ତି । ସାଂସ୍କୁତିକ ଏବଂ ଧାର୍ମିକ ସମ୍ପତ୍ତି ଉପରେ ଆକ୍ରମଣକୁ ନେଇ ଆଲୋଚନାରେ ଗୁରୁତ୍ୱାରୋପ କରିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରୀ । ଚଳିତ ବର୍ଷ ଅଗଷ୍ଟ ମାସରେ ଶେଖ୍ ହସିନା ସରକାର ଉଚ୍ଛେଦ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ବେଳେ ଏହି ଗସ୍ତ ହୋଇଛି ।
ଏହା ପୂର୍ବରୁ ବାଂଲାଦେଶର ବୈଦେଶିକ ପରାମର୍ଶଦାତା ତୌହିଦ ହୁସେନ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଅଗଷ୍ଟ ୫ରେ ବାଂଲାଦେଶରେ ଶେଖ ହସିନା ସରକାରକୁ ଉଚ୍ଛେଦ କରିବା ସହିତ ସମ୍ପର୍କରେ ପରିବର୍ତ୍ତନ ହୋଇଛି ବୋଲି ଭାରତକୁ ସ୍ୱୀକାର କରିବାକୁ ପଡିବ। ସମସ୍ୟାର ସମାଧାନ ଦିଗରେ ପ୍ରଥମ ପଦକ୍ଷେପ ହେଉଛି ସମସ୍ୟାର ଅସ୍ତିତ୍ୱକୁ ସ୍ୱୀକାର କରିବା । ଅଗଷ୍ଟ ୫ ପରଠାରୁ ଭାରତ-ବାଂଲାଦେଶ ସମ୍ପର୍କ ବଦଳିଯାଇଥିବା କଥାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଆମକୁ ଏହାକୁ ଗ୍ରହଣ କରି ସମ୍ପର୍କକୁ ଆଗକୁ ନେବାକୁ ପଡ଼ିବ।
କେନ୍ଦ୍ର ସରକାର ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କୁ ୨ ବର୍ଷ ପାଇଁ ଚାକିରି ଅବଧି ବୃଦ୍ଧି କରିଛନ୍ତି । ୨୦୨୪ ନଭେମ୍ବର ୩୦ତାରିଖରେ ସେ ଅବସର ନେବାର ଥିଲା। କିନ୍ତୁ କ୍ୟାବିନେଟର ନିଯୁକ୍ତି କମିଟି ମିସ୍ରିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ସେ ୨୦୨୬ ଜୁଲାଇ ୧୪ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୈଦେଶିକ ସଚିବ ଭାବେ ଦାୟିତ୍ୱ ତୁଲାଇବେ।