ବ୍ରୁସେଲ୍ସ,: ପାଣିପାଗ ତଥ୍ୟ ରେକର୍ଡ ଅନୁସାରେ ଚଳିତ ବର୍ଷ (୨୦୨୪) ଇତିହାସରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବାକୁ ଯାଉଛି। ତାପମାତ୍ରା ବୃଦ୍ଧିର ଏହି ପ୍ରଭାବ ୨୦୨୫ର ପ୍ରାରମ୍ଭିକ ମାସରେ ମଧ୍ୟ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ୟୁରୋପୀୟ ସଂଘର ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍)ର ତଥ୍ୟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ସୁନିଶ୍ଚିତ କରିଛି ଯେ ୨୦୨୪ ବର୍ତ୍ତମାନ ରେକର୍ଡରେ ସବୁଠାରୁ ଉତ୍ତପ୍ତ ବର୍ଷ ଅଟେ। ୧୮୫୦ରୁ ୧୯୦୦ ମସିହା ପର୍ଯ୍ୟନ୍ତ ପ୍ରାକ୍-ଶିଳ୍ପ ସମୟ ତୁଳନାରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ଅଧିକ ଥିବା ଏହା ପ୍ରଥମ ବର୍ଷ ହୋଇଥିଲା।
ଏହା ପୂର୍ବରୁ ୨୦୨୩ ବର୍ଷ ଇତିହାସରେ ସବୁଠାରୁ ଗରମ ବର୍ଷ ଥିଲା। ନଭେମ୍ବର ୨୦୨୩ ପରଠାରୁ ୨୦୨୪ ନଭେମ୍ବର ଇତିହାସର ସବୁଠାରୁ ଉତ୍ତପ୍ତ ମାସ ଥିଲା। ଚଳିତ ବର୍ଷ ପାଗରେ ଅନେକ ଖରାପ ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି।
ଏଥିରେ ଇଟାଲୀ ଓ ଦକ୍ଷିଣ ଆମେରିକାରେ ଭୟଙ୍କର ମରୁଡ଼ି, ନେପାଳ, ସୁଦାନ ଓ ୟୁରୋପରେ ମାରାତ୍ମକ ବନ୍ୟା, ମେକ୍ସିକୋ, ମାଲି ଓ ସାଉଦି ଆରବରେ ଗ୍ରୀଷ୍ମପ୍ରବାହଜନିତ ହଜାର ହଜାର ମୃତ୍ୟୁ ଏବଂ ଆମେରିକା ଓ ଫିଲିପାଇନ୍ସରେ ପ୍ରଳୟଙ୍କରୀ ବାତ୍ୟା ରହିଛି। ବୈଜ୍ଞାନିକମାନେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ପଛରେ ମଣିଷର ଭୂମିକା ବର୍ଣ୍ଣନା କରିଛନ୍ତି।