ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପୁଣି ହିଂସା ଦେଖା ଦେଇଛି। ଆଫଗାନିସ୍ତାନ ସୀମା ନିକଟରେ ସମ୍ପ୍ରତି ହୋଇଥିବା ଆକ୍ରମଣରେ ପାଞ୍ଚ ଜଣ ପାକିସ୍ତାନୀ ସୈନିକ ଏବଂ ୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଇସ୍ତାନବୁଲରେ ଶାନ୍ତି ଆଲୋଚନା କରୁଥିବା ସମୟରେ ଏହି ସଂଘର୍ଷ ଘଟିଛି । ଫଳରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଉପରେ ସଙ୍କଟର ବାଦଲ ଖେଳି ଯାଇଛି ।
ପାକିସ୍ତାନ ସେନା ଦାବି କରିଛି ଯେ ଶୁକ୍ରବାର ଏବଂ ଶନିବାର ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନ ପାର୍ଶ୍ୱରୁ ପାକିସ୍ତାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଅନୁପ୍ରବେଶ ଖାଇବର ପଖତୁନଖ୍ୱାର କୁରମ ଏବଂ ଉତ୍ତର ୱାଜିରିସ୍ତାନ ଜିଲ୍ଲାରେ ଘଟିଥିଲା, ଯାହାକି ଅତ୍ୟନ୍ତ କଷ୍ଟକର, ପାର୍ବତ୍ୟମୟ ଅଞ୍ଚଳ । ଏହା ଦୀର୍ଘ ସମୟ ଧରି ଆତଙ୍କବାଦୀ କାର୍ୟ୍ୟକଳାପର ଏକ ଆଡ୍ଡା ଭାବେ ପରିଚିତ ରହିଛି ।
ପାକିସ୍ତାନର ସାମରିକ ଗଣମାଧ୍ୟମ ଶାଖା ରଏଟର୍ସକୁ କହିଛି ଯେ ଆଫଗାନ ସରକାରଙ୍କ ଉଦ୍ଦେଶ୍ୟ ଏବଂ ତାଙ୍କ ମାଟିରୁ ଆତଙ୍କବାଦକୁ ରୋକିବା ପାଇଁ ଗମ୍ଭୀର କି ନାହିଁ ସନ୍ଦେହ। ସେନା କହିଛି ଯେ ସାମ୍ପ୍ରତିକ ଘଟଣା ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି।
'ଖୋଲା ଯୁଦ୍ଧ'ର ଚେତାବନୀ
ଗୋଟିଏ ଦିନ ପୂର୍ବରୁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଥିଲେ ଯେ "ଯଦି ଇସ୍ତାନବୁଲ ଆଲୋଚନା ବିଫଳ ହୁଏ, ତେବେ ଏହା ଖୋଲା ଯୁଦ୍ଧରେ ପରିଣତ ହୋଇପାରେ।" ସେ ଆଶା ପ୍ରକାଶ କରିଥିଲେ ଯେ ଆଫଗାନିସ୍ତାନ ଶାନ୍ତି ଚାହୁଁଛି, କିନ୍ତୁ ସାମ୍ପ୍ରତିକ ଘଟଣାଗୁଡ଼ିକ ପରିସ୍ଥିତିକୁ ପୁଣି ଥରେ ଜଟିଳ କରି ଦେଇଛି ।
ଆଫଗାନ ତାଲିବାନ ସରକାର ପକ୍ଷରୁ ଏ ପର୍ଯ୍ୟନ୍ତ ପାକିସ୍ତାନର ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ । ପୂର୍ବ ବିବୃତ୍ତିରେ ତାଲିବାନ କହିଛି ଯେ "ପାକିସ୍ତାନର ଆକ୍ରମଣ ଆଫଗାନ ସାର୍ବଭୌମତ୍ୱର ଉଲ୍ଲଂଘନ" ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ପାକିସ୍ତାନର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।
Also read: ଭାରତର ବନ୍ଧୁତା ମୂଲ୍ୟ ଉପରେ ପାକ୍ ସହ ସଂପର୍କ ହେବନି, ଆମେରିକାର ପାକିସ୍ତାନକୁ ରୋକଠୋକ୍