ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିୟୋ ପାକିସ୍ତାନ ସହ ନିଜର ସଂପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଆମେ ପାକିସ୍ତାନ ସହ ରଣନୈତିକ ଭାଗିଦାରୀ ମଜବୁତ କରିବାକୁ ଚାହୁଁଛୁ। ମାତ୍ର ଏହି ଭାଗିଦାରୀରେ ଭାରତ ସହ ଆମେରିକାର ଐତିହାସିକ ଓ ମହତ୍ଵପୂର୍ଣ୍ଣ ବନ୍ଧୁତାର କ୍ଷତି ହେବନି।
ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେ ଭାରତ ସହ ଆମର ବନ୍ଧୁତାର ମୂଲ୍ୟ ଉପରେ ପାକିସ୍ତାନ ସହ ନିଜର ସଂପର୍କ ମଜବୁତ କରବାକୁ ଚାହୁଁନୁ। ହୋଇପାରେ ଆମେରିକା ଓ ପାକିସ୍ତାନ ଦୀର୍ଘ ସମୟରୁ ଆତଙ୍କବାଦ ବିରୋଧରେ ମିଶି କାମ କରୁଛନ୍ତି। କିନ୍ତୁ ଏଥିରେ ଭାରତ ସହିତ ତାଙ୍କର ବନ୍ଧୁତାରେ କୌଣସି କ୍ଷତି ଘଟିବ ନାହିଁ।
ଟ୍ରମ୍ପଙ୍କ ପରାମର୍ଶ ରୁବିୟୋ କହିଛନ୍ତି, ଭାରତର କୂଟନୀତି ବହୁତ ପରିପକ୍ଵ। ସେମାନେ ଜାଣିଛନ୍ତି ଯେ, ଆମକୁ ଅନେକ ଦେଶ ସହ ସଂପର୍କ ରଖିବାକୁ ପଡ଼ିବ। ଭାରତର ମଧ୍ୟ ଅନେକ ଦେଶ ସହ ସଂପର୍କ ରହିଛି। ଏହା ପରିପକ୍ବ ବିଦେଶ ନୀତି ଏକ ଅଂଶ। ଭାରତର ଏମିତି କିଛି ଦେଶ ସହ ସଂପର୍କ ରହିଛି, ଯାହାଙ୍କର ଆମେରିକା ସହ ସମ୍ବନ୍ଧ ଠିକ୍ ନାହିଁ। ଏହା ଏକ ପରିପକ୍ଵ, ବ୍ୟବହାରିକ ବୈଦେଶିକ ନୀତିର ଅଂଶ ବିଶେଷ। ମୋତେ ଲାଗୁନି ଆମେ ପାକିସ୍ତାନ ସହ ଯାହା ବି କିଛି କରୁଛୁ ତାହା ଭାରତ ସହ ଆମର ସମ୍ବନ୍ଧ ଓ ବନ୍ଧୁତାକୁ କ୍ଷତି ପହଞ୍ଚାଇବ।
ରୁବିୟୋ କହିଛନ୍ତି, ଆମେରିକା ଏଥିରେ ଅବଗତ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ପୁରୁଣା ଶତ୍ରୁତା ରହିଛି। ମାତ୍ର ଆମ ଦ୍ଵାରା ଯେତିକି ସମ୍ଭବ ସେତିକି ଦେଶ ସହ ସଂପର୍କ ଯୋଡ଼ିବାର ଅଛି। ଆମେ ପାକିସ୍ତାନ ସହ ଆତଙ୍କବାଦ ବିରୋଧରେ କାମ କରି ଆସିଛୁ ଏବଂ ଆଗକୁ ଏହାକୁ ବଢାଇବାକୁ ଚାହୁଁଛୁ। ମାତ୍ର ଏହା ଭାରତ କିମ୍ବା ଅନ୍ୟ କାହା ସହ ସଂପର୍କର ମୂଲ୍ୟ ଉପରେ ହେବ ନାହିଁ।
Also read: ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ବସ୍ ପୋଡିର ଅସଲ କାରଣ; ବ୍ୟାଟେରୀ ବିସ୍ଫୋରଣ ଯୋଗୁଁ ଲାଗିଥିଲା ନିଆଁ!