ନୂଆଦିଲ୍ଲୀ: ଦୁନିଆର ଦୁଇ ବଡ଼ ଆର୍ଥିକ ମହାଶକ୍ତି ଚୀନ ଓ ଆମେରିକା ମଧ୍ୟରେ କାରବାର ଯୁଦ୍ଧ ଥମିବାର ନାଁ ନେଉନି। ଏବେ ଚୀନ ପାଲଟା ଜବାବ ଦେଇ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୮୪ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ବଢାଇଛନ୍ତି। ଚୀନର ଅର୍ଥ ମନ୍ତ୍ରଣାଳୟ ଗୁରୁବାର ସମସ୍ତ ଆମେରିକା ବସ୍ତୁ ଉପରେ ଏହି ଟାରିଫ ଲଗାଇବାକୁ ଘୋଷଣା କରିଛି। ପୂର୍ବେ ଚୀନ ଆମେରିକାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଉଥିଲା। ଏହି ନୂଆ ଶୁଳ୍କ ଏପ୍ରିଲ ୧୦ରୁ ଲାଗୁ ହେବ ବୋଲି ଚୀନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆମେରିକା ରା ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ବସ୍ତୁ ଉପରେ ୧୦୪ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ପରେ ଚୀନ ଏହି ପଦକ୍ଷେପ ଉଠାଇଛି। ଟ୍ରମ୍ପଙ୍କ ୧୦୪ ପ୍ରତିଶତ ଟାରିଫ ଲାଗୁ ହେବା ପରେ ଚୀନ ଆମେରିକା ଉପରେ ନିଜର ବିଷୋଦଗାର କରିଥିଲା। ଆଉ ବୁଧବାର ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ଚୀନ କହିଛି। ଏବେ ଦୁଇ ଦେଶ ମଧ୍ୟରେ କାରବାରରେ ସନ୍ତୁଳନ ଆସିଛି, କାରଣ ଆମେରିକାର ରପ୍ତାନୀ ଉପରେ ୧୦୪ ପ୍ରତିଶତ ଟାରିଫ ଲାଗୁ ହୋଇ ସାରିଛି।
ଚୀନ ସରକାର ହ୍ଵାଇଟ୍ ହାଉସ ସହ ଟାରିଫ ପ୍ରସଙ୍ଗରେ କୌଣସି ପ୍ରକାରର ଆଲୋଚନା କରିବାକୁ ମନା କରି ଦେଇଛି। ଅନ୍ୟପଟେ ଅନେକ ଦେଶ ରେସିପ୍ରୋକାଲ ଟାରିଫ ପ୍ରସଙ୍ଗରେ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଅନେକ ଆଲୋଚନା ଚଳାଇଛନ୍ତି। ଚୀନ ବାଣିଜ୍ୟ ମନ୍ତ୍ରଣାଳୟ ନିଜ ବିବୃତିରେ କହିଛି ଯେ, ଯଦି ଆମେରିକା ନିଜର ଆର୍ଥିକ ଓ ବାଣିଜ୍ୟ କଟକଣାକୁ ଆହୁରି ବ୍ୟାପକ କରେ ତେବେ ଚୀନ ଜରୁରୀ ପଦକ୍ଷେପ ଉଠାଇବ ଏବଂ ଶେଷ ପର୍ଯ୍ୟନ୍ତ ଲଢେଇ କରିବାକୁ ଦୃଢ ସଂକଳ୍ପିତ।