ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରି ହିସାବ ବରାବର କରିଛି । ଏବେ ଦୁଇ ଶତ୍ରୁ ଦେଶ ମଧ୍ୟରେ ଆକ୍ରମଣ ବନ୍ଦ ହେବା ଉଚିତ୍ । ଶନିବାର ଏମିତି କହିଛି ଆମେରିକା । ଯଦି ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଛି । ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲର ଅଭିଯାନ ପରେ ଦୁଇ ଦେଶ ମଧ୍ୟରେ ଏବେ ଆକ୍ରମଣ ବନ୍ଦ ହେବା ଉଚିତ୍ । ଅନ୍ୟ ସହଯୋଗୀ ଦେଶ ମଧ୍ୟ ଏଥିରେ ସହମତ ବୋଲି ଜନୈକ ଅଧିକାରୀ କହିଛନ୍ତି ।
ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବାନ ଶୁକ୍ରବାର ପୁରା ଦିନର ଘଟଣାକ୍ରମ ବିଷୟରେ ଅବଗତ କରାଇଛନ୍ତି । ଆଉ ଆମେରିକା ହିସାବରେ ଇସ୍ରାଏଲର ଏହି ଅଭିଯାନ ବ୍ୟାପକ, ସଠିକ ଥିଲା । ଆମେରିକାର ଏହି ଆକ୍ରମଣରେ କୌଣସି ସଂପୃକ୍ତି ନାହିଁ । ଆମେରିକା ଇସ୍ରାଏଲର ପିଠି ଥାପୁଡେଇ କହିଛି ଯେ, ୟହୁଦୀ ଦେଶ ପ୍ରତିଶୋଧ ବି ନେଲା ଏବଂ କୌଣସି ଆଣବିକ ଭଣ୍ଡାରକୁ ଟାର୍ଗେଟ୍ କରି ନାହିଁ । ଆଉ ଏଥିରେ ଇରାନର କ୍ଷତି ଘଟିନାହିଁ ।
ଇସ୍ରାଏଲ କହିଛି, ମାସ ସାରା ଇରାନ ଆମ ଉପରେ ବାଲିଷ୍ଟିକ ମିସାଇଲରେ ଆକ୍ରମଣ କରି ଚାଲିଥିଲା । ଏମିତିରେ ଏହା ଆମ ପକ୍ଷରୁ ପ୍ରତିଜବାବ ଥିଲା । ଉଲ୍ଲେଖନୀୟ ତେହରାନରେ ହମାସ ମୁଖ୍ୟଙ୍କ ହତ୍ୟା ପରଠୁ ଇରାନ ଉତକ୍ଷୀପ୍ତ ହୋଇ ପଡିଛି ଓ ଲଗାତାର ଇସ୍ରାଏଲକୁ ଧମକ ଦେଇ ଚାଲିଛି । ଏପରିକି ଲେବାନନରେ ହିଜବୁଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ।