ତେଲ ଅବିଭ: ଇରାନ ଉପରେ ଶନିବାର ଇସ୍ରାଏଲ ବଡଧରଣର ଆକ୍ରମଣ କରିଛି। ଇରାନର ରାଜଧାନୀ ତେହେରାନ ଏବଂ ନିକଟବର୍ତ୍ତୀ ସାମରିକ ଘାଟିରେ ବଡ଼ଧରଣର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଅକ୍ଟୋବର ପହିଲାରେ ଇରାନ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ପ୍ରତିଶ୍ରୁତି ଦେଇଥିଲା। ଗତ ୬ ମାସ ମଧ୍ୟରେ ଇରାନ ଦୁଇଥର ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଅନ୍ୟପକ୍ଷରେ ଇରାକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ କୁ ସ୍ଥଗିତ ରଖିଛି।
ଇସ୍ରାଏଲ ସେନା କହିଛି ଯେ ଇସ୍ରାଏଲ ବିରୁଦ୍ଧରେ ଇରାନର ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବର୍ତ୍ତମାନ ତେହେରାନରେ ସାମରିକ ଟାର୍ଗେଟ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ କରୁଛି। ସେନା କହିଛି ଯେ ତେହେରାନ ଏବଂ ଏହାର ପ୍ରୋକ୍ସିଙ୍କ ଆକ୍ରମଣର ଜବାବ ଦେବାର ଅଧିକାର ଇସ୍ରାଏଲର ଅଛି।
ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ଡଜନାଧିକ ଲଢୁଆ ବିମାନ ସହ ଇରାନ ଉପରେ ଆକ୍ରମଣ କରିଛି। ଏନବିସି ନ୍ୟୁଜ୍ ଏବଂ ଏବିସି ନ୍ୟୁଜ୍ ଇସ୍ରାଏଲର ଜଣେ ଅଧିକାରୀଙ୍କ ବୟାନ ଦେଇ କହିଛନ୍ତି ଯେ ଶକ୍ତି ଭିତ୍ତିଭୂମି ଏବଂ ପରମାଣୁ କାରଖାନାଗୁଡ଼ିକୁ ଟାର୍ଗେଟ କରାଯାଇ ନାହିଁ।
ଇରାନ ଫାର୍ସ ନ୍ୟୁଜ୍ ଏଜେନ୍ସି କହିଛି ଯେ ଇସ୍ରାଏଲ ତେହେରାନର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମରେ ଅନେକ ସାମରିକ ଟାର୍ଗେଟକୁ ଟାର୍ଗେଟ କରିଛି। ତେହେରାନ ଓ ଏହାର ଆଖପାଖ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଇରାନ ଗଣମାଧ୍ୟମ ଏହି ଆକ୍ରମଣକୁ ଅଣଦେଖା କରିଛି।
ତସନିମ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସର ପୋଷ୍ଟଉପରେ ଆକ୍ରମଣ କରାଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେହେରାନର ଇମାମ ଖୁମେନି ଅନ୍ତର୍ଜାତୀୟ ବିମାନ ବନ୍ଦରର ଫୁଟେଜ ଜାରି କରିଛି ସରକାରୀ ଟିଭି। ଏଥିରେ ଯାତ୍ରୀମାନେ ନିଜ ବିମାନରୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି।
ସିରିଆ ସରକାରଙ୍କ ନ୍ୟୁଜ୍ ଏଜେନ୍ସି ସାନାର ରିପୋର୍ଟ ଅନୁଯାୟୀ, ଶନିବାର ସକାଳେ ଇସ୍ରାଏଲ ସିରିଆର କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ଥିବା କେତେକ ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ତେବେ ଇସ୍ରାଏଲ ସିରିଆ ଉପରେ ହୋଇଥିବା ଆକ୍ରମଣକୁ ନିଶ୍ଚିତ କରିନାହିଁ।