ଢାକା: ବାଂଲାଦେଶର ଶେଖ୍ ହସିନା ସରକାରକୁ ଅଗଷ୍ଟ ୫ରେ ହଟାଇବା ପରେ ଛାତ୍ରଛାତ୍ରୀମାନେ ଏବେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛନ୍ତି। ସେମାନେ ବଙ୍ଗଭବନକୁ ଘେରି ଥିଲେ ଏବଂ ଶାହାବୁଦ୍ଦିନଙ୍କୁ ଇସ୍ତଫା ଦେବା ପାଇଁ ସାତ ଦିନର ଅଲଟିମେଟମ ଦେଇଥିଲେ।
ଗତ ସପ୍ତାହରେ ଏକ ସାକ୍ଷାତକାରରେ ଶାହାବୁଦ୍ଦିନ କହିଥିଲେ ଯେ ଅଗଷ୍ଟରେ ହସିନା ଦେଶ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାନେଇ ତାଙ୍କ ପାଖରେ କୌଣସି ଦସ୍ତାବିଜ ପ୍ରମାଣ ନାହିଁ। ଏହି ବୟାନ ପରେ ଛାତ୍ରଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ବାଂଲାଦେଶର ଅନ୍ତରୀଣ ସରକାର ବୁଧବାର କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ନେଇ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ସେପଟେ ଅନ୍ତରୀଣ ସରକାର ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ପାର୍ଟିର ଛାତ୍ର ଶାଖା ବାଂଲାଦେଶ ଷ୍ଟୁଡେଣ୍ଟସ୍ ଲିଗ୍ (ବିସିଏଲ୍)କୁ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ନିଷିଦ୍ଧ କରିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଆୱାମୀ ଲିଗ୍ ସରକାରର ଗତ ୧୫ ବର୍ଷ ମଧ୍ୟରେ ଛାତ୍ର ସଂଗଠନ ଅନେକ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିଛି। ବିକ୍ଷୋଭର ଟିଭି ଫୁଟେଜରେ ବିକ୍ଷୋଭକାରୀମାନେ ବିଭିନ୍ନ ବ୍ୟାନରରେ ପୁଲିସ ସହ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଛି।
ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀଙ୍କୁ ବ୍ୟାରିକେଡ୍ ଭାଙ୍ଗିବାରୁ ରୋକିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚଳାଇବାରୁ ଦୁଇ ଜଣ ଆହତ ହୋଇଛନ୍ତି। ହିଂସାତ୍ମକ ଭିଡ଼କୁ ହଟାଇବା ପାଇଁ ବ୍ୟବହୃତ ଗ୍ରେନେଡ୍ରେ ଜଣେ ତୃତୀୟ ବ୍ୟକ୍ତି ଆହତ ହୋଇଛନ୍ତି। ବିକ୍ଷୋଭକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଶେଖ ହସିନାଙ୍କ ନେତୃତ୍ୱରେ ୨୦୧୪, ୨୦୧୮ ଓ ୨୦୨୪ରେ ହୋଇଥିବା ନିର୍ବାଚନକୁ ଅବୈଧ ଘୋଷଣା କରାଯିବା ସହ ଏହି ନିର୍ବାଚନରେ ବିଜୟୀ ହୋଇଥିବା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସେ କହିଛନ୍ତି। ଛାତ୍ର ଆନ୍ଦୋଳନର ଅନ୍ୟତମ ସଂଯୋଜକ ହସନତ ଅବଦୁଲ୍ଲା କହିଛନ୍ତି, ଯଦି ସରକାର ଚଳିତ ସପ୍ତାହ ସୁଦ୍ଧା ଦାବି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଆମେ ପୁଣି ଥରେ ପୂରା ଜୋରରେ ରାଜରାସ୍ତାକୁ ଓହ୍ଲାଇବୁ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ପୁସ୍ତକ ମେଳାରେ ମାତ୍ର ୩୫ଟି ବହି ବିକ୍ରି