ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହିତ ସିଧାସଳଖ ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦେଇଛନ୍ତି। ପୁଟିନ କହିଛନ୍ତି, ଏହି ଆଲୋଚନା 'କୌଣସି ବିଳମ୍ବ ନକରି' ମେ ୧୫ରୁ ଆରମ୍ଭ ହେବ। ରୁଷ ରାଷ୍ଟ୍ରପତି ମେ ୧୫ରେ ତୁର୍କୀର ଇସ୍ତାନବୁଲରେ ୟୁକ୍ରେନ ସହିତ ଆଲୋଚନା ପାଇଁ କୌଣସି ପୂର୍ବ ସର୍ତ୍ତ ରଖିନାହାଁନ୍ତି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଠାରୁ ପ୍ରଥମ ଥର ପାଇଁ ଏପରି ପ୍ରସ୍ତାବ ଆସିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଗତ ୩୯ ମାସ ଧରି (୨୦୨୨ ଫେବ୍ରୁଆରୀ) ଯୁଦ୍ଧ ଜାରି ରହିଛି। ଉଭୟ ପାର୍ଶ୍ୱରେ, ବିଶେଷକରି ୟୁକ୍ରେନରେ, ପ୍ରଚୁର ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି।
ପୁଟିନ ଶନିବାର ଦିନ ଏକ ଭାଷଣରେ କହିଥିଲେ ଯେ ରୁଷ ୟୁକ୍ରେନ ସହିତ ସଂଘର୍ଷର ମୂଳ କାରଣଗୁଡ଼ିକୁ ସମାଧାନ କରି ଏକ ସ୍ଥାୟୀ ଶାନ୍ତି ଆଡକୁ ଯିବା ପାଇଁ ଗମ୍ଭୀର ଆଲୋଚନା ଚାହୁଁଛି। ୟୁକେ ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ଗସ୍ତ କରିବାର କିଛି ଘଣ୍ଟା ପରେ ଏହି ବିବୃତ୍ତି ଆସିଛି। ଏହି ନେତାମାନେ ରୁଷକୁ ନିଃସର୍ତ୍ତ ୩୦ ଦିନିଆ ଅସ୍ତ୍ରବିରତିରେ ରାଜି ହେବାକୁ ଅନୁରୋଧ କରିଥିଲେ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମସ୍କୋ ଏହା ଉପରେ ବିଚାର କରିବ କିନ୍ତୁ କୌଣସି ଚାପର ବଶବର୍ତ୍ତୀ ହେବ ନାହିଁ।
ପୁଟିନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଇସ୍ତାନବୁଲରେ ଆଲୋଚନା ମାଧ୍ୟମରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତିନାମା ହେବାର ସମ୍ଭାବନାକୁ ସେ ଅସ୍ୱୀକାର କରୁନାହାଁନ୍ତି। ସେ କହିଛନ୍ତି ଯେ ସେ ରବିବାର ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ସହ ବୈଠକର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିବେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଠାରୁ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବର କୌଣସି ପ୍ରତିକ୍ରିୟା ଆସିନାହିଁ।
ଫ୍ରାନ୍ସ, ଜର୍ମାନୀ, ୟୁକେ ଏବଂ ପୋଲାଣ୍ଡ ଏବଂ ୟୁରୋପର ଅନେକ ନେତା ସମ୍ପ୍ରତି ୟୁକ୍ରେନ ଗସ୍ତ କରିଛନ୍ତି ଏବଂ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭେଟିଛନ୍ତି। ଏହି ନେତାମାନେ ରୁଷକୁ ଚେତାବନୀ ଦେଇଥିଲେ ଯେ ଯଦି ଏହା ୩୦ ଦିନ ପାଇଁ ଯୁଦ୍ଧ ବନ୍ଦ ନ କରେ, ତେବେ ଏହା ଉପରେ ଅଧିକ କଟକଣା ଲାଗୁ କରାଯିବ। ୟୁକେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ମଧ୍ୟ କହିଛନ୍ତି ଯେ ରୁଷ ଯୁଦ୍ଧ ବନ୍ଦ କରିବା ଉଚିତ। ଏହା ଉପରେ, ରୁଷ କହିଛି ଯେ ଚାପ ପକାଇବାର ରଣନୀତି ଦ୍ୱାରା କେହି କିଛି ପାଇପାରିବେ ନାହିଁ।
ୟୁରୋପୀୟ ନେତାମାନଙ୍କୁ ଚାପ ପ୍ରୟୋଗ ନ କରିବାକୁ ଅନୁରୋଧ କରି ଏକ କଡ଼ା ବାର୍ତ୍ତା ଦେବା ପରେ, ପୁଟିନ ତାଙ୍କର ମତ ବଦଳାଇ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ପୁଟିନ ପୂର୍ବରୁ କହିସାରିଛନ୍ତି ଯେ ସେ ଶାନ୍ତି ଚାହାଁନ୍ତି, କିନ୍ତୁ ୟୁକ୍ରେନ ଅସ୍ତ୍ର ପାଉଛି ଏବଂ ଏହା ଯୁଦ୍ଧକୁ ଆଗକୁ ବଢ଼ାଉଛି। ପୁଟିନ କହିଛନ୍ତି ଯେ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ଯୁଦ୍ଧର ମୂଳ କାରଣ ବିଷୟରେ ଆଲୋଚନା କରିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ‘ଆଇସିଏଆର’ର ପୂର୍ବତନ ମୁଖ୍ୟ ଆୟାପ୍ପନଙ୍କ ମୃତଦେହ ଉଦ୍ଧାର