ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ସକାଳେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ନେଇ ନିଜର ମତ ରଖିଛନ୍ତି । ଚାରି ଦିନର ଶତ୍ରୁତା ପରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଦୁଇ ଦେଶକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆକ୍ରମଣାତ୍ମକ କାରଣରୁ ଲକ୍ଷାଧିକ ଲୋକଙ୍କ ଜୀବନହାନୀ ଘଟିଥାନ୍ତା । ଶାନ୍ତି ସ୍ଥାପନ ପରେ ଦୁଇ ଦେଶ ସହିତ କାରବାର ଓ କାଶ୍ମୀର ପ୍ରସଙ୍ଗରେ ସମାଧାନ ପାଇଁ ମିଶି କାମ କରିବୁ ।
ଡୋନାଲ୍ଡ ଟ୍ରମ୍ପ ଶନିବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଘୋଷଣା କରିଥିଲେ ଯେ, ଆମେରିକାର ମଧ୍ୟସ୍ଥତା ପରେ ଦୁଇ ଦେଶ ପରସ୍ପର ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । କିନ୍ତୁ ଭାରତ କହିଛି, ପାକିସ୍ତାନ ସହ ସିଧାସଳଖ ଆଲୋଚନା ଜରିଆରେ ହିଁ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଛି । ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆମରିକାର ମଧ୍ୟସ୍ଥତା କଥା କହିଛନ୍ତି ।
ରବିବାର ସକାଳେ ଟ୍ରମ୍ପ ଲେଖିଛନ୍ତି, ମୋତେ ଭାରତ ଓ ପାକିସ୍ତାନର ମଜବୁତ ନେତୃତ୍ୱ ଉପରେ ଗର୍ବିତ । କାରଣ ସେମାନଙ୍କ ନିକଟରେ ଜାଣିବା ଓ ବୁଝିବାର ଶକ୍ତି ଏବଂ ବୁଦ୍ଧି ରହିଛି । ବର୍ତ୍ତମାନ ଲଢେଇ ବନ୍ଦ କରିବାର ସମୟ ଆସିଛି । ଯଦି ସଂଘର୍ଷ ଚାଲିଥାନ୍ତା ତେବେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥାନ୍ତା । ଅନେକ ବିନାଶ ହୋଇଥାନ୍ତା । ଏହି କାରଣରୁ ଲକ୍ଷାଧିକ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତା । ମୁଁ ଗର୍ବିତ ଯେ, ଆମେରିକା ଆପଣଙ୍କୁ ଏହି ଐତିହାସିକ ଓ ବୀରତାପୂର୍ଣ୍ଣ ନିର୍ଣ୍ଣୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରି ପାରିଲା । ମୁଁ ଏହି ଦୁଇ ମହାନ ଦେଶର କାରବାରରେ ବ୍ୟାପକ ବୃଦ୍ଧି କରିବାକୁ ଯାଉଛି ।
କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶର ନେତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଲେଖିଛନ୍ତି, ମୁଁ ଆପଣ ଦୁହିଁଙ୍କ ସହ ମିଶି କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ । ଆମେ ଏହା ମିଶି ଦେଖି ପାରିବା ଯେ, କଣ ହଜାର ବର୍ଷ ପରେ ବି କାଶ୍ମୀର ସମ୍ବନ୍ଧରେ କୌଣସି ସମାଧାନର ରାସ୍ତା ବାହାରି ପାରିବ । ଭଗବାନ ଭାରତ ଓ ପାକିସ୍ତାନର ନେତୃତ୍ୱକୁ ଭଲ କାମ କରିବାକୁ ଆଶୀର୍ବଦା ଦିଅନ୍ତୁ ।