ନୂଆଦିଲ୍ଲୀ: ପାକିସ୍ତାନର ବହୁ କସରତ ପରେ ଆଇଏମଏଫ ଏକ ବିଲିୟନ ଡଲାରର ଋଣ ଦେବାକୁ ସହମତି ହୋଇଛି । ଦୀର୍ଘ ସମୟ ଧରି ପାକିସ୍ତାନ ବିଶ୍ୱ ବ୍ୟାଙ୍କ, ଆଇଏମଏଫ ପରି ସଂସ୍ଥା ଓ ଚୀନ ପରି ଦେଶଠୁ ଲୋନ ସାହାରରେ ଚଳୁଛି । ଅନେକ ଥର ସାଉଦି ଆରବଠୁ ଶସ୍ତା ତେଲ ଓ ଆର୍ଥିକ ସହାୟତା ମିଳୁଛି । ଆଉ ଏହାରି ବଦଳରେ ଏହି ପଡୋଶୀ ଦେଶର ସାର୍ବଭୌମତ୍ୱ ଲଗାତାର କମିବାରେ ଲାଗିଛି । ଏପରିକି ପାକିସ୍ତାନ ନିଜ ଦେଶର ବଜେଟ୍ ଏବେ ପ୍ରସ୍ତୁତ କରି ପାରିବ ନାହିଁ ।
ଜୁନ ୨ରେ ପାକିସ୍ତାନ ପକ୍ଷରୁ ଦେଶର ବଜେଟ୍ ଉପସ୍ଥାପନ ନେଇ ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ ଆଇଏମଏଫ ସହ ବୈଠକ ବସିବ । ସେଥିରେ ବଜେଟ୍ କେଉଁ େକ୍ଷେତ୍ରରେ କେତେ ବ୍ୟୟ ବରାଦ କରାଯିବ ସେ ସବୁର ତଥ୍ୟ ଆଇଏମଏଫର ଅଧିକାରୀଙ୍କୁ ଦେବାକୁ ପଡିବ । ଏଥିପାଇଁ ଆଇଏମଏଫର ଏକ ଟିମ୍ ସୋମବାର ଇସଲାମାବାଦ ପହଞ୍ଚି ଯାଇଛନ୍ତି । ଏବେ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରଥମେ ଆଇଏମଏଫ ଟିମର ପରାମର୍ଶ ନେବେ ଏବଂ ଏହା ପରେ ବଜେଟ୍ ପ୍ରସ୍ତୁତ କରିବେ ।
ସୂତ୍ର ମୁତାବକ ଆଇଏମଏଫ ସ୍ଥିର କରିବ ଯେ, ପାକିସ୍ତାନରେ ଭିତ୍ତିଭୂମି ନିର୍ମାଣ ପାଇଁ କେତେ ବ୍ୟୟବରାଦ କରାଯିବ । ପୂର୍ବରୁ ଚାଲି ଆସିଥିବା ଋଣର ସୁଧ ପରିଶୋଧ ପାଇଁ କେତେ ଅର୍ଥ ନିର୍ଦ୍ଧାରିତ କରାଯିବ ଏବଂ ଦେଶର ଆର୍ଥିକ ସ୍ଥିତି ସୁଧାରରେ କେତେ ଖର୍ଚ୍ଚ କରାଯିବ । ଏହା ପୂର୍ବରୁ ମଧ୍ୟ ଅନେକ ଥର ପାକିସ୍ତାନର ବଜେଟ୍ ପ୍ରସ୍ତୁତିରେ ଆଇଏମଏଫ ଦଖଲ ଦେଇ ଆସିଛି । ଆଇଏମଏଫର କହିବା କଥା ପାକିସ୍ତାନର ବଜେଟ୍ ଏମିତି ରହିବା ଉଚିତ୍, ଯେଉଁଥିରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରାଯାଇ ପାରିବ । ଏହା ସହିତ ଏକ ସ୍ୱତନ୍ତ୍ର ଫଣ୍ଡ ବି ପ୍ରସ୍ତୁତ କରିବା ଦରକାର । ସୂଚନାଯୋଗ୍ୟ, ଆଇଏମଏଫ ପାକିସ୍ତାନକୁ ନୂଆ କିସ୍ତି ଜାରି କରିବା ପୂର୍ବରୁ ୧୧ ନୂଆ ସର୍ତ୍ତ ଲାଗୁ କରିଛି । ଏହିପରି ଆଇଏମଏଫ ପକ୍ଷରୁ ଏ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ମୋଟ୍ ୫୦ ସର୍ତ୍ତ ଲଦି ଦିଆଯାଇଛି ।
ଆଇଏମଏଫର ସର୍ତ୍ତ ଅନୁସାରେ ପାକିସ୍ତାନର ମୋଟ୍ ବଜେଟ୍ ୧୭.୬ ଟ୍ରିଲିୟନ ଟଙ୍କା ରହିବ । ଏହା ବ୍ୟତୀତ ୧.୦୭ ଟ୍ରିଲିୟନ ଟଙ୍କା ବିକାଶ ଉପରେ ଖର୍ଚ୍ଚ କରିବାର ପାକିସ୍ତାନ ଉପରେ ଅଧିକାର ରହିବ । ଏହା ବ୍ୟତୀତ ଟ୍ୟାକ୍ସ ଢାଞ୍ଚାକୁ ମଜବୁତ କରିବା ଏବଂ କୃଷି ଉପରେ ଆୟ ବୃଦ୍ଧି ଉପରେ ମଧ୍ୟ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ରଖାଯାଇଛି ।