ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ବିଳିବିଳେଇ ହେଉଥିବା ପାକିସ୍ତାନ ଏବେ ଚୀନ ଶରଣରେ । ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ସୋମବାର ବେଜିଂ ପହଞ୍ଚୁଛନ୍ତି । ବଡ କଥା ଏହି ଗସ୍ତରେ ପାକିସ୍ତାନର ଆଫଗାନିସ୍ତାନର ମାମଲାର ବିଶେଷ ପ୍ରତିନିଧି ମହମ୍ମଦ ସାଦିକ ମଧ୍ୟ ତାଙ୍କ ସହ ଅଛନ୍ତି । ମେ ୨୦ରେ ଚୀନରେ ତାଲିବାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତକି ମଧ୍ୟ ପହଞ୍ଚିବାର ଖବର ରହିଛି ।
ଭାରତୀୟ ଗୁଇନ୍ଦା ଏଜେନ୍ସି ଏହି ଗସ୍ତକୁ ଭାରତ-ପାକ ସଂଘର୍ଷ ଓ ଅପରେସନ ସିନ୍ଦୂର ପରର ରଣନୈତିକ ବୈଠକ ଭାବେ ଦେଖୁଛି । ଏହି ବୈଠକରେ ଚୀନ, ପାକିସ୍ତାନ ଓ ତାଲିବାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦକ୍ଷିଣ ଏସିଆର ବଦଳୁଥିବା ସୁରକ୍ଷା ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବ । ସୂତ୍ର ଅନୁସାରେ, ଏହା ଏକ ତ୍ରିପକ୍ଷୀୟ ବୈଠକ । ଏଥିରେ ଆତଙ୍କବାଦ, ସୁରକ୍ଷା ସହଯୋଗ ଓ ଆର୍ଥିକ ଗତିବିଧି ବାହାନାରେ ରଣନୈତିକ ସମୀକରଣ ଉପରେ ଆଲୋଚନା ହୋଇପାରେ ।
ଏହି କୂଟନୈତିକ ବୈଠକ ସେହି ସମୟରେ କରାଯାଉଛି ଯେତେବେଳେ ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷ ଅସ୍ତ୍ରବିରତି ଯୋଗୁଁ ପ୍ରଶମିତ ହୋଇଛି । ଆଗାମୀ ସମୟରେ ଭାରତ ଉପରେ କିଭଳି ନଜର ରଖାଯିବ ଏବଂ ଜବାବ ଦିଆଯିବା ତାହା ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ମେ ୬-୭ ତାରିଖ ରାତିରେ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ ଶିବିରକୁ ଧ୍ୱଂସ କରାଯାଇଥିଲା । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତକ ଆତଙ୍କବାଦୀ ଜୈଶ ଏ ମହମ୍ମଦ, ଲସ୍କର ଏ ତୋଇବା ଓ ହିଜବୁଲ ମୁଜାହିଦ୍ଦୀନ ପରି ସଂଗଠନର ସଦସ୍ୟ ଥିଲେ ।