ନୂଆଦିଲ୍ଲୀ: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ ଦୁଇ ଘଣ୍ଟାରୁ ଅଧିକ ସମୟ କଥା ହୋଇଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ନେଇ ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଛନ୍ତି । ଆଲୋଚନାରେ ପୁଟିନ କହିଛନ୍ତି ଯେ ରୁଷ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ କିନ୍ତୁ ଏଥିପାଇଁ ୟୁକ୍ରେନକୁ ଏକ ବ୍ୟବହାରିକ ଚୁକ୍ତି କରିବାକୁ ପଡିବ ।
ଚାରି ମାସ ମଧ୍ୟରେ ଏହା ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ତୃତୀୟ ଟେଲିଫୋନ ବାର୍ତ୍ତାଳାପ ଥିଲା। ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରୁଷ-ୟୁକ୍ରେନ ଯୁଦ୍ଧ ରହିଥିଲା । ଭାରତୀୟ ସମୟ ଅନୁସାରେ ବିଳମ୍ବିତ ରାତିରେ ହୋଇଥିବା ଏହି ଆଲୋଚନାକୁ ରୁଷ ରାଷ୍ଟ୍ରପତି ପୁଟିନ ଆଲୋଚନା ବେଶ ସକରାତ୍ମକ ଥିଲା ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରୁଷ ଦେଶକୁ ସମାନ ପ୍ରୟାସ କରିବାକୁ ପଡିବ।
ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇ ନାହିଁ ସରକାରୀ ବିବୃତ୍ତି
ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏପର୍ୟ୍ୟନ୍ତ ଆଲୋଚନା ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇ ନାହିଁ । ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଆଶା କରିଥିଲେ ଯେ ସୋମବାର ସକରାତ୍ମକ ଆଲୋଚନା ହେବ । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ବ୍ୟତୀତ ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକର ପ୍ରମୁଖ ନେତାମାନଙ୍କ ସହିତ ମଧ୍ୟ ଟେଲିଫୋନରେ ଆଲୋଚନା କରି ଯୁଦ୍ଧ କେମିତି ବନ୍ଦ ହେବ ସେ ଦିଗରେ ପ୍ରୟାସ ଜାରି ରଖିବେ ।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ୟୁକ୍ରେନ ଯୁଦ୍ଧ ଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ଖୋଲା ମତ ଅଛି। ଯଦି ପୁଟିନ ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ନୁହଁନ୍ତି, ତେବେ ଟ୍ରମ୍ପ୍ ୟୁକ୍ରେନରେ ଶାନ୍ତି ପାଇଁ ପ୍ରୟାସ ଛାଡିଦେବେ। ରୁଷ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କ୍ରେମଲିନ୍ ପକ୍ଷରୁ କୁହାଯାଇଛି ଯେ, ରୁଷ ରାଷ୍ଟ୍ରପତି ଗତ ସପ୍ତାହରେ ଇସ୍ତାନବୁଲରେ ୟୁକ୍ରେନ ସହିତ ହୋଇଥିବା ଆଲୋଚନାର ବିନ୍ଦୁଗୁଡ଼ିକ ବିଷୟରେ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ ଏବଂ ସେଗୁଡ଼ିକ ଉପରେ ସହମତିରେ ପହଞ୍ଚିବାର ଆବଶ୍ୟକତା ପ୍ରକାଶ କରିଥିଲେ।
ପୁଟିନ କହିଛନ୍ତି, ଯଦି ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ନ ପାଇବ ତେବେ ଅସ୍ତ୍ରବିରତି ସମ୍ଭବ ନୁହେଁ । ଶାନ୍ତି ପାଇଁ ୟୁକ୍ରେନକୁ ମଧ୍ୟ ଆଗକୁ ଆସିବାକୁ ପଡିବ ଏବଂ ଆଲୋଚନା କରିବାକୁ ପଡିବ । ଶାନ୍ତି ପାଇଁ ଆବଶ୍ୟକ ଚୁକ୍ତିନାମା ଉପରେ ମଧ୍ୟ ୟୁକ୍ରେନକୁ ହସ୍ତାକ୍ଷର କରିବାକୁ ପଡିବ ।