ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧରେ ଲସ୍କର-ଏ-ତୈବାର କମାଣ୍ଡର ତଥା ଶୀର୍ଷ ଆତଙ୍କବାଦୀ ସୈଫୁଲ୍ଲା ନିହତ ହୋଇଛି। ଆତଙ୍କବାଦର ଅନ୍ୟ ଏକ ନାମ ସା ସୈଫୁଲ୍ଲାର ଅନେକ ନାମ ରହିଛି । ଯେପରିକି ସୈଫୁଲ୍ଲା ଓରଫ ବିନୋଦ କୁମାର ଓରଫ ମହମ୍ମଦ ସଲିମ ଓରଫ ଖାଲିଦ ଓରଫ ଭାନିୟାଲ ଓରଫ ୱାଜିଦ ଓରଫ ସଲିମ ଭୋଇ । ସୈଫୁଲ୍ଲା ନେପାଳରେ ଲସ୍କର-ଏ-ତୈବାର ସମ୍ପୂର୍ଣ୍ଣ ଆତଙ୍କବାଦୀ ନେଟୱର୍କକୁ ପରିଚାଳନା କରୁଥିଲା। ସୈଫୁଲ୍ଲାର ମୁଖ୍ୟ କାମ ଥିଲା ଲସ୍କରର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କ୍ୟାଡର ଏବଂ ଆର୍ଥିକ ସହାୟତା ଯୋଗାଇବା।
ଅଧିକାରୀମାନେ କହିଛନ୍ତି ସୈଫୁଲ୍ଲାକୁ ପାକିସ୍ତାନ ସରକାର ସୁରକ୍ଷା ଯୋଗାଇ ଆସୁଥିଲେ। ତେବେ ରବିବାର ଅପରାହ୍ନରେ କୌଣସି କାମ ପାଇଁ ସିନ୍ଧର ମାଟଲିରେ ନିଜ ଘରୁ ବାହାରି ଏକ ଛକ ନିକଟରେ ପହଞ୍ଚିବା ମାତ୍ରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରିଥିଲେ।
ସୈଫୁଲ୍ଲା କିଏ?
ସାଇଫୁଲ୍ଲା ନେପାଳୀ ନାଗରିକ ନାଗମା ବାନୁଙ୍କୁ ମଧ୍ୟ ବିବାହ କରିଥିଲା। ସୈଫୁଲ୍ଲା ଲସ୍କର ଏବଂ ଜମାତ ଉଦ୍ ଦାୱା ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ସମ୍ପ୍ରତି ସୈଫୁଲ୍ଲା ଖାଲିଦ ପାକିସ୍ତାନର ସିନ୍ଧ ପ୍ରଦେଶର ବାଦିନ ଜିଲ୍ଲାର ମାଟଲିରେ ନିଜର ଆଡ୍ଡାସ୍ଥଳୀ ଜମାଇଥିଲା। ସେଠାରୁ ସେ ଜାତିସଂଘ ଦ୍ୱାରା ନିଷିଦ୍ଧ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଏହାର ଛାମୁଆ ସଂଗଠନ ଜମାତ-ଉଦ-ଦାୱା ପାଇଁ କାମ କରୁଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ପିଲା ନିଯୁକ୍ତ କରିବା ଏବଂ ପାଣ୍ଠି ସଂଗ୍ରହ କରିବା।
ସୈଫୁଲ୍ଲା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିଲା । ସେ ରାମପୁରରେ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ, ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣ ଏବଂ ଆଇଆଇଏସସି ବାଙ୍ଗାଲୋରରେ ବୋମା ବିସ୍ଫୋରଣ ଆଦି ଆତଙ୍କୀ ହମଲାରେ ତାର ସଂପୃକ୍ତି ଥିଲା। ସୂଚନା ଅନୁଯାୟୀ, ରବିବାର ପାକିସ୍ତାନର ସିନ୍ଧ ପ୍ରଦେଶର ବାଦିନ ଜିଲ୍ଲାର ମାଟଲି ତାଲୁକାରେ ସୈଫୁଲ୍ଲାକୁ ଗୁଳି କରି ମାରି ଦିଆଯାଇଛି. ଏହି ଆତଙ୍କବାଦୀ ନେତା ନେପାଳ ଦେଇ ଲସ୍କର ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା।