ନୂଆଦିଲ୍ଲୀ/କାଠମାଣ୍ଡୁ: ନେପାଳର ଜଣେ ବି.ଟେକ୍ ଛାତ୍ରୀ ଜୀବନ ହାରିବା ପରେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପରେ ନେପାଳୀ ଛାତ୍ରଛାତ୍ରୀମାନେ ହତ୍ୟା ଅଭିଯୋଗ ଆଣି ପ୍ରତିଷ୍ଠାନରେ ପ୍ରତିବାଦ କରିଥିଲେ, କିନ୍ତୁ ପ୍ରତିଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହଷ୍ଟେଲରୁ ହଙ୍ଗାମା କରୁଥିବା ନେପାଳୀ ଛାତ୍ରମାନଙ୍କୁ ବାହାର କରିଦେଇଥିଲା।
କୁହାଯାଉଛି ଯେ କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୧୮୦୦ ନେପାଳୀ ଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରାଯାଇ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନକୁ ନିଆଯାଇଥିଲା। ଏହି ହଠାତ୍ ନିଷ୍ପତ୍ତି ଯୋଗୁଁ ନେପାଳୀ ଛାତ୍ରମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ଏବଂ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଷୟକୁ ଧ୍ୟାନରେ ରଖି, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇଣ୍ଟରନେଟ୍ ଗଣମାଧ୍ୟମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଓଲି ଫେସବୁକରେ ନେପାଳୀ ଭାଷାରେ ପୋଷ୍ଟ କରିଥିଲେ ଯେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ନେପାଳୀ ଛାତ୍ରମାନଙ୍କୁ ବଳପୂର୍ବକ ସ୍ଥାନାନ୍ତର କରାଯାଇଛି। ସରକାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।
ପରେ ଟ୍ୱିଟରରେ ଆଉ ଏକ ପୋଷ୍ଟରେ ଓଲି କହିଛନ୍ତି, "ନୂଆଦିଲ୍ଲୀରେ ଆମର ଦୂତାବାସ ଓଡ଼ିଶାରେ ପ୍ରଭାବିତ ନେପାଳୀ ଛାତ୍ରଙ୍କୁ ପରାମର୍ଶ ଦେବା ପାଇଁ ଦୁଇଜଣ ଅଧିକାରୀଙ୍କୁ ପଠାଇଛି।" ଛାତ୍ରଛାତ୍ରୀମାନେ ଯେପରି ସେମାନଙ୍କ ପସନ୍ଦ ଅନୁସାରେ ହଷ୍ଟେଲରେ ରହିବା କିମ୍ବା ଘରକୁ ଫେରିବାର ବିକଳ୍ପ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି।
ନେପାଳର ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଉବା କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ରାଜନୈତିକ ପଦକ୍ଷେପ ନିଆଯାଉଛି। କାଠମାଣ୍ଡୁରେ, ଘଟଣାର ତଦନ୍ତ ଦାବି କରି ନେପାଳୀ ଛାତ୍ରମାନେ ଭାରତୀୟ ଦୂତାବାସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଏହି ସମୟରେ, ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ପୁଲିସ ପ୍ରତିଷ୍ଠାନର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଗିାଫ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ(୨୧)। ଛାତ୍ରୀଙ୍କ ସମ୍ପର୍କୀୟ ଭାଇ ଭୁବନେଶ୍ୱରର ଇନଫୋସିଟି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ରବିବାର ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ଜୀବନ ହାରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀ ହେଲେ ନେପାଳର ପ୍ରକୃତି ଲାମ୍ସା(୧୯)। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ କମିସନରେଟ୍ ପୁଲିସ କହିଛି, ଘଟଣାର ତଦନ୍ତ ସରିବା ପରେ ପ୍ରକୃତ କାରଣ ଜଣାପଡ଼ିବ।
ଅଧିକ ପଢ଼ନ୍ତୁ: ଟୋରଣ୍ଟୋ ବିମାନବନ୍ଦରରେ ଅବତରଣ ବେଳେ ଓଲଟିଲା ଡେଲ୍ଟା ଏୟାରଲାଇନ୍ସର ବିମାନ