ରିୟାଦ: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଓ ଗବେଷକ ବଡ଼ ବୟାନ ଦେଇଛନ୍ତି। ଏକ ଟିମ୍ କହିଛନ୍ତି, ଜଳବାୟୁ ପରିବର୍ତ୍ତନ କାରଣରୁ ସାଉଦୀ ଆରବରେ ଗରମ ବଢ଼ିଛି। ଏହି କାରଣରୁ ଏଠାରେ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ବଢ଼ିଯାଇଛି। ସାଉଦୀ ଆରବରେ ହଜ୍ ସମୟରେ ୧୧୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ମାତ୍ରାଧିକ କାରଣ ହେଉଛି ଗରମ ବୋଲି କୁହାଯାଉଛି। ସାଉଦୀ ଆରବ ସରକାର ତୀର୍ଥଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।
ଗଣମାଧ୍ୟମର ଅନେକ ତଥ୍ୟ ଆଧାରରେ କୁହାଯାଇଛି ଯେ, ମୃତ୍ୟୁ ସଂଖ୍ୟା ୧୧୨୬ରେ ପହଞ୍ଚିଛି। ଏଥିରେ କୁହାଯାଇଛି ଯେ, ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ମିସର ନାଗରିକ ଥିଲେ। ଅନ୍ୟପଟରେ ସାଉଦୀ ଆରବର ସରକାର କହିଛନ୍ତି ହଜ୍ ସମୟରେ ୫୭୭ ଜଣଙ୍କର ମୃତ୍ୟୁ ହୋଇଛି। ହଜ୍ଯାତ୍ରା ବେଳେ ଭୀଷଣ ଗରମ ଅନୁଭୂତ ହୋଇଥିଲା। ତୀର୍ଥଯାତ୍ରୀମାନଙ୍କୁ ଘଣ୍ଟାଘଣ୍ଟା ପ୍ରବଳ ଖରାରେ ରହିବାକୁ ପଡ଼ିଥିଲା।
ହଜ୍ ଇସ୍ଲାମର ୫ଟି ସ୍ତମ୍ଭ ଭିତରୁ ଅନ୍ୟତମ। ସମସ୍ତ ମୁସଲିମ୍ଙ୍କୁ ଅତିକମରେ ଗୋଟିଏ ଥର ହଜ୍ ଯାତ୍ରା କରିବା ଉଚିତ। ମାତ୍ର ଏଥି ପାଇଁ ଉତ୍ତମ ସ୍ବାସ୍ଥ୍ୟ ଓ ଆର୍ଥିକ ଭାବେ ସ୍ବଚ୍ଛଳ ଥିବା ଦରକାର। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଚଳିତ ଥର ୧୮ ଲକ୍ଷ ତୀର୍ଥଯାତ୍ରୀ ହଜ୍ ଯାତ୍ରା କରିଛନ୍ତି। ଗତବର୍ଷ ମଧ୍ୟ ପାଖାପାଖି ଏତିକି ତୀର୍ଥଯାତ୍ରୀ ଆସିଥିଲେ। ଚଳିତ ବର୍ଷ ୧୬ ଲକ୍ଷ ବିଦେଶୀ ହଜ୍ ଯାତ୍ରୀ ଥିଲେ। ହଜ୍ ଯାତ୍ରା କୋଟା ଆଧାରରେ ଟିକେଟ ବଣ୍ଟନ କରାଯାଇଥାଏ। ଅଭିଯୋଗ ଆସିଥାଏ ଯେ, ବିନା ଅନୁମତିରେ ମଧ୍ୟ କିଛି ଲୋକ ହଜ୍ ଯାତ୍ରା କରିଥାନ୍ତି। ସେଥପାଇଁ ଏହିଭଳି ଲୋକଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଥାଏ।