ନୂଆଦିଲ୍ଲୀ: ଇରାକର ୱାସିତର ଅଲ କୁତ ସହରରେ ଏକ ସପିଂ ମଲରେ ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ଅତି କମରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି । ୱାସିତ ଗଭର୍ଣ୍ଣର ମହମ୍ମଦ ଅଲ ମିୟାଦୀ ଏହି ସୂଚନା ଦେଇଛନ୍ତି । ଘଟଣା ଏକ ବିଶାଳ କୋଠାଟି ସଂପୂର୍ଣ୍ଣ ଭାବେ ନିଆଁରେ ହୁତୁହୁତୁ ହୋଇ ଜଳୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀଙ୍କୁ ଅନେକ ଘଣ୍ଟା ଲାଗିଛି ।
ରୟଟର୍ସକୁ ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଏ ପର୍ଯ୍ୟନ୍ତ ୫୯ ମୃତଦେହ ଚିହ୍ନଟ କରି ପାରିଛୁ । ଗୋଟିଏ ମୃତଦେହ ଏମିତି ଜଳି ଯାଇଛି ଯେ, ତାର ଚିହ୍ନଟ କରି ପାରିଲୁ ନାହିଁ । ଏବେ ବି ମୃତଦେହ ଉଦ୍ଧାର ଅଭିଯାନ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନି ।
ୱାସିତ ରାଜ୍ୟର ଗଭର୍ଣ୍ଣର କହିଛନ୍ତି ଯେ, କୋଠା ଓ ମଲର ମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ସ୍ଥାନୀୟ ପ୍ରଶାସନ ମୁତାବକ କୋଠାର ସୁରକ୍ଷା ବ୍ୟବସ୍ଥା ଓ ଅଗ୍ନି ନିର୍ବାପକ ଉପକରଣର ମଧ୍ୟ ତଦନ୍ତ କରାଯାଉଛି । ଏହି ହୃଦୟ ବିଦାରକ ଘଟଣା ପାଇଁ ପୂରା ଇରାକରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
ସୂଚନା ମୁତାବକ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବଗଦାଦରୁ ୧୬୦ କିଲୋମିଟର ଦକ୍ଷିଣ ପୂର୍ବରେ ସ୍ଥିତ ସହରର ଏକ ହସ୍ପିଟାଲରେ ଆହତ ଭର୍ତ୍ତି ହୋଇ ଯାଇଛନ୍ତି । ଏହି ମଲଟି ୫ ଦିନ ପୂର୍ବେ ଖୋଲିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ନିଆଁ କୋଠାର ପ୍ରଥମ ମହଲାରେ ଲାଗିଥିଲା ।