ନୂଆଦିଲ୍ଲୀ: ଇଟାଲିରେ ଜି-୭ ସମ୍ମିଳନୀ ପୂର୍ବରୁ ଦେଶର ସଂସଦର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଇଟାଲି ସଂସଦରେ ସାଂସଦମାନେ ଏକ ବିଲ୍ ପାସ୍କୁ ନେଇ ଏହି ହଙ୍ଗାମା କରିଛନ୍ତି। ସାଂସଦମାନେ ହାତାହାତି ମଧ୍ୟ ହୋଇଛନ୍ତି। ଏହି ଭିଡିଓ ବିଦେଶୀ ନେତାମାନଙ୍କୁ ହତବାକ୍ କରିଦେଇଛି। ରିପୋର୍ଟ ଅନୁସାରେ ଏକ ବିଲ ପାସ୍କୁ ନେଇ ସଂସଦ ପରିସରରେ ପ୍ରଥମେ ବିବାଦ ଦେଖାଯାଇଥିଲା। ଏହି ବିଲ୍କୁ ସମର୍ଥନ ଦେଉଥିବା ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହୋଇଥିଲା। ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ମଧ୍ୟ ସେମାନେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନଥିଲେ।
ଭିଡିଓରେ ଦେଖାଯାଇ ପାରିବ ଯେ, ବିରୋଧୀ ଦଳର ସାଂସଦ ଲିୟୋନାର୍ଡୋ ଡୋନୋ ସରକାରରେ ମନ୍ତ୍ରୀ ରବର୍ଟେ କୈଲଡେରୋଲୀଙ୍କୁ ଇଟାଲିର ପତାକା ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ପତାକା ନେବାକୁ ମନା କରିଦେଇଥିଲେ। ସେ ପଛକୁ ଫେରି ଆସିବା ପରେ ଅନ୍ୟ ସାଂସଦମାନେ ଭିଡ଼ କରିଥିଲେ। ଦେଖୁଦେଖୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଏହି ଭିଡିଓ ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଏଣ୍ଟୋନିଆ ତେଜାନୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋ ପାଖରେ ଶବ୍ଦ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାତି (ସ୍ଥାନୀୟ ସମୟ) ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲିରେ ପହଞ୍ଚି ସାରିଛନ୍ତି। ପ୍ରଧାମନ୍ତ୍ରୀ ମୋଦୀ ଆପୁଲିଆର ବ୍ରିନ୍ଦିସି ବିମାନବନ୍ଦରରେ କହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଇଟାଲିରେ ଭାରତୀୟ ରାଷ୍ଟ୍ରଦୂତ ବାଣୀ ରାଓ ସ୍ବାଗତ କରିଥିଲେ। ବିଦେଶ ସଚିବ ବିନୟ କ୍ବାତ୍ରା ନୂଆଦିଲ୍ଲୀରେ କହିଛନ୍ତି, ଶୁକ୍ରବାର ଠାରୁ ଆୟୋଜନ ହେବାକୁ ଥିବା ଜି-୭ ସମ୍ମିଳନୀକୁ ଏକ ଆଉଟରିଚ ଦେଶ ଭାବେ ଭାରତକୁ ନିମନ୍ତ୍ରଣ ମିଳିଛି। ସେ କହିଛନ୍ତି, ଏହି ତିନିଦିନିଆ ଯାତ୍ରା ଭାରତ ଓ ଗ୍ଲୋବାଲ ସାଉଥ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ସଂପର୍କ ସୁଦୃଢ଼ କରିବାକୁ ଅପୂର୍ବ ସୁଯୋଗ। ଏହି ସମ୍ମିଳନୀରେ ଭାରତର ଏହା ୧୧ତମ ଓ ମୋଦୀଙ୍କ ଲଗାତାର ୫ମ ଉପସ୍ଥିତି ହେବ।