ଯେରୁଶାଲମ: ଗାଜାରେ ଇସ୍ରାଏଲର ଆକ୍ରମଣରେ ସୋମବାର ଦିନ ୧୨ ଜଣ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ସୋମବାର ଉତ୍ତର ଗାଜା ସହର ବେଇତ୍ ଲାହିୟାରେ ଦୁଇଟି ଘର ଉପରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ଓ ଦକ୍ଷିଣ ଭାଗରେ ପୃଥକ ଆକ୍ରମଣରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ସେନା ସୋମବାର ସକାଳେ ନୁସିରାଟ କ୍ୟାମ୍ପର ଉତ୍ତର-ପୂର୍ବଦିଗରେ ଟ୍ୟାଙ୍କ ପଠାଇଥିଲା।
ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ସେନା କମଲ ଅଦୱାନ ହସ୍ପିଟାଲରେ ବୋମା ମାଡ଼ କରିଛି ଏବଂ ଅନେକ କର୍ମଚାରୀ ଏବଂ ରୋଗୀ ଆହତ ହୋଇଛନ୍ତି। ଇସ୍ରାଏଲ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୨୦୨୩ ଅକ୍ଟୋବର ୭ ତାରିଖରୁ ଗାଜା ଉପତ୍ୟକାରେ ଇସ୍ରାଏଲର ସାମରିକ ଆକ୍ରମଣରେ ୪୩,୩୭୪ ପାଲେଷ୍ଟାଇନୀ ନିହତ ହୋଇଛନ୍ତି ଏବଂ ୧୦୨,୨୬୧ ଜଣ ଆହତ ହୋଇଛନ୍ତି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଇସ୍ରାଏଲ ଆକ୍ରମଣରେ ଅକ୍ଟୋବର ୭ ଆକ୍ରମଣରେ ସମ୍ପୃକ୍ତ ଜଣେ ପାଲେଷ୍ଟାଇନ୍ ଆତଙ୍କବାଦୀ ଏବଂ ଦକ୍ଷିଣ ଲେବାନନର ଜଣେ ହିଜବୁଲ୍ଲା କମାଣ୍ଡର ନିହତ ହୋଇଛନ୍ତି। ଗାଜାରେ ବାୟୁସେନା ପାଲେଷ୍ଟାଇନ୍ ଇସଲାମିକ ଜିହାଦର ସାମରିକ ଗୁଇନ୍ଦା ୟୁନିଟ୍ର ସଦସ୍ୟ ଅହମ୍ମଦ ଅଲ୍-ଦାଲୁଙ୍କୁ ହତ୍ୟା କରିଛି। ସେପଟେ ଲେବନାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅବୁ ଅଲ୍ଲୀ ରିଦା ନିହତ ହୋଇଛନ୍ତି। ଦକ୍ଷିଣ ଲେବାନନର ବାରଚିତ୍ ଅଞ୍ଚଳରେ ସେ ହିଜବୁଲ୍ଲାର ନେତୃତ୍ୱ ନେଉଥିଲେ।
ଅଧିକ ପଢ଼ନ୍ତୁ: ଆଜି ନୂଆ ରାଷ୍ଟ୍ରପତି ଚୟନ କରିବେ ଆମେରିକାବାସୀ