ୱାଶିଂଟନ: ଆଗାମୀ ୪ ବର୍ଷ ପାଇଁ ଆମେରିକା ଓ ବିଶ୍ୱର ଦିଗ ନିର୍ଦ୍ଧାରଣ କରିବାର ସମୟ ଆସିଛି। ମଙ୍ଗଳବାର ସକାଳୁ ଆମେରିକାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହେବ ଏବଂ ବିଳମ୍ବିତ ରାତି ସୁଦ୍ଧା ସେଠାରେ ପରବର୍ତ୍ତୀ ଅଗ୍ରଣୀ କିଏ ହେବ ତାହା ସ୍ଥିର ହୋଇଯିବ। ଯଦିଓ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୮ ଜଣ ପ୍ରାର୍ଥୀ ଅଛନ୍ତି, ତଥାପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା ଦେବୀ ହାରିସ୍ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ।
ମତଦାନର କିଛି ଘଣ୍ଟା ପୂର୍ବରୁ ଦୁହେଁ ନିଜ ସପକ୍ଷରେ ଭୋଟରଙ୍କୁ ଜିତାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ହାରିସ୍ ବିଜୟୀ ହୁଅନ୍ତି, ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି, ଯେଉଁଥିରେ ବିଶ୍ୱ ଧ୍ୱଂସ ହୋଇଯିବ। ଯଦି କମଳା ହାରିସ୍ ବିଜୟୀ ହୁଅନ୍ତି, ତେବେ ଏହା ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ଗର୍ବର ବିଷୟ ହେବ ଏବଂ ଇତିହାସ ବଦଳାଇ ଦେଇଥିବା ଜନାଦେଶ ମିଳିବ। ପାଖାପାଖି ୨୩୫ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ମହିଳା ଆମେରିକାର ରାଷ୍ଟ୍ରପତି ହେବେ।
ଆମେରିକାରେ ଭୋଟ୍ ଗ୍ରହଣ ସମୟ ସକାଳ ୭ଟାରୁ ଅର୍ଥାତ୍ ଯଦି ଆମେ ଭାରତର ସମୟ ଅନୁଯାୟୀ କଥା ବାର୍ତ୍ତା କରିବା, ତେବେ ଆଜି ଅପରାହ୍ନ ସାଢ଼େ ୪ଟାରୁ ଆମେରିକାରେ ମତଦାନ ଆରମ୍ଭ ହେବ। ଭାରତୀୟ ସମୟ ଅନୁଯାୟୀ ବୁଧବାର ଭୋର ସାଢ଼େ ୪ଟା ସୁଦ୍ଧା ମତଦାନ ଶେଷ ହୋଇପାରେ। ଏଥିରେ ସାମାନ୍ୟ ପାର୍ଥକ୍ୟ ରହିଛି କାରଣ ଆମେରିକାର ରାଜ୍ୟଗୁଡ଼ିକ ଅନେକ ଭିନ୍ନ ଭିନ୍ନ ଟାଇମ୍ ଜୋନ୍ରେ ବିଭକ୍ତ।
ପ୍ରଚାରର ଶେଷ ଦିନରେ କମଳା ହାରିସ୍ କଳା ଓ ଆରବ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ ପେନ୍ସିଲଭାନିଆରେ ଏକ ରାଲିରେ ନିଜ ଉପରେ ହୋଇଥିବା ଆକ୍ରମଣ ପାଇଁ ସହାନୁଭୂତି ହାସଲ କରିବାକୁ ଚେଷ୍ଟା କରିଥିଲେ। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ବୋଲି ଜନମତ ସର୍ବେକ୍ଷଣରୁ ଜଣାପଡ଼ିଛି। ଅଧିକାଂଶ ମହିଳାଙ୍କୁ ସମର୍ଥନ ମିଳୁଥିବା ବେଳେ ୭୮ ବର୍ଷୀୟ ଟ୍ରମ୍ପଙ୍କୁ ଲାଟିନ ଆମେରିକୀୟ ଦେଶର ଭୋଟର ଓ ପୁରୁଷମାନେ ସମର୍ଥନ କରୁଛନ୍ତି। ମଙ୍ଗଳବାରର ନିର୍ଦ୍ଧାରିତ ମତଦାନ ପୂର୍ବରୁ ଆମେରିକାରେ ୭୭ ନିୟୁତ ଭୋଟର ବିକଳ୍ପ ପଦ୍ଧତିରେ ଭୋଟ୍ ଦେଇ ସାରିଛନ୍ତି।
ଡେଟ୍ରୋଏଟ୍ ସ୍ଥିତ ଗ୍ରେଟର ଇମାନୁଏଲ୍ ଇନଷ୍ଟିଚ୍ୟୁସନାଲ ଚର୍ଚ୍ଚରେ ହାରିସ୍ କହିଛନ୍ତି, ଆମର ଭବିଷ୍ୟତ ପିଢ଼ିର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଦିନ ଆସିଛି। ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ। ଆମ ସମ୍ପ୍ରଦାୟ ଏବଂ ଗଣତନ୍ତ୍ରର କଲ୍ୟାଣ ପାଇଁ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ। ପରେ ମିଶିଗାନର ଇଷ୍ଟ ଲାନସିଂରେ ଜନସାଧାରଣଙ୍କୁ ସମ୍ବୋଧିତ କରି ହାରିସ ଗାଜା ଏବଂ ଲେବାନନରେ ସାଧାରଣ ନାଗରିକଙ୍କ ଜୀବନ ହାନି ଏବଂ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଥିଲେ।
ଅଧିକ ପଢ଼ନ୍ତୁ: ପେନ୍ସିଲଭାନିଆରେ କମଳା, ପିଟସବର୍ଗରେ ଟ୍ରମ୍ପଙ୍କ ପ୍ରଚାର