ଯେରୁସେଲମ: ଗାଜା ସିଟି ଉପରେ ଇସ୍ରାଏଲ୍ ଗୁରୁବାର ରାତିରେ ଏକ ବଡ଼ଧରଣର ବିମାନ ଆକ୍ରମଣ କରିଛି। ଇସ୍ରାଏଲ କ୍ୟାବିନେଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗାଜା ଶାନ୍ତି ଯୋଜନା’ ଉପରେ ଭୋଟ୍ ଦେବା ପାଇଁ ବୈଠକ କରୁଥିବା ସମୟରେ ଏହି ଆକ୍ରମଣ ଘଟିଛି, ଯାହା ଗାଜା ଯୁଦ୍ଧକୁ ସ୍ଥାୟୀ ଭାବରେ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି।
ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ ହମାସ-ନିୟନ୍ତ୍ରିତ ସୁରକ୍ଷା ସଂସ୍ଥା ରିପୋର୍ଟ କରିଛି ଯେ ଗାଜା ସିଟିର ସାବ୍ରା ଅଞ୍ଚଳରେ ହୋଇଥିବା ଆକ୍ରମଣ ଯୋଗୁଁ ଏକ ବହୁମହଲା କୋଠା ଭୁଶୁଡ଼ି ପଡ଼ିଛି। ପ୍ରାୟ ୪୦ ଜଣ ଲୋକ ଭଗ୍ନାଂବଶେଷ ତଳେ ପୋତି ହୋଇଯାଇଛନ୍ତି। ଇସ୍ରାଏଲୀ ସେନା ଆକ୍ରମଣକୁ ନିଶ୍ଚିତ କରିଛି ଏବଂ କହିଛି ଯେ ଟାର୍ଗେଟ ହମାସ ଆତଙ୍କବାଦୀ ଥିଲେ।
ଗାଜାର ନାଗରିକ ପ୍ରତିରକ୍ଷା ସଂସ୍ଥା ରିପୋର୍ଟ କରିଛି ଯେ ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଲୋକ ଭଗ୍ନାଂବଶେଷ ତଳେ ଫସି ରହିଛନ୍ତି। ଅଲ୍-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସାଲମିଆ ରିପୋର୍ଟ କରିଛନ୍ତି ଯେ ବୁଧବାର ସନ୍ଧ୍ୟାରୁ ୩୦ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ଆଇଡିଏଫ୍ ବିବୃତ୍ତି ଅନୁଯାୟୀ, ଆମେ ଇସ୍ରାଏଲୀ ସୈନ୍ୟଙ୍କ ନିକଟରେ ଅବସ୍ଥିତ ଏବଂ ସେମାନଙ୍କ ପାଇଁ ଏକ ତୁରନ୍ତ ବିପଦ ସୃଷ୍ଟି କରୁଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲୁ।
ରିପୋର୍ଟ ଅନୁଯାୟୀ ଗାଜାରେ ଯୁଦ୍ଧବିରାମ ନିରୀକ୍ଷଣ ପାଇଁ ପ୍ରାୟ ୨୦୦ ଆମେରିକୀୟ ସୈନ୍ୟଙ୍କ ଏକ ଦଳ ନିୟୋଜିତ କରାଯିବ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରାମ ଚୁକ୍ତିର ସଫଳତା ସୁନିଶ୍ଚିତ କରିବା ଏବଂ ବନ୍ଧକ ମୁକ୍ତ ପ୍ରକ୍ରିୟାରେ ସହାୟତା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଇସ୍ରାଏଲ ଏବଂ ହମାସ ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରାମ ଉପରେ ସହମତ ହୋଇଛନ୍ତି। ତାଙ୍କ ଅନୁସାରେ, ଯେତେବେଳେ ଇସ୍ରାଏଲୀ ସରକାର ଏହି ଚୁକ୍ତିକୁ ଅନୁମୋଦନ କରିବେ, ଯୁଦ୍ଧ ତୁରନ୍ତ ଶେଷ ହେବ। ଟ୍ରମ୍ପ କହିଛନ୍ତି ଯେ ଏହି ଚୁକ୍ତି ବନ୍ଧକଙ୍କ ମୁକ୍ତି ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ ଏବଂ ଆଶା ପ୍ରକାଶ କରିଛନ୍ତି ଯେ ସମସ୍ତ ବନ୍ଧକଙ୍କୁ ୧-୨ ଦିନ ମଧ୍ୟରେ ମୁକ୍ତ କରାଯିବ।
ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତିକୁ ଏକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି, ଯାହା ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ଦିଗରେ ପ୍ରମୁଖ ଅଗ୍ରଗତି କରିବ। ସେ କହିଛନ୍ତି ଯେ ଏହି ଚୁକ୍ତି ତାଙ୍କର ୨୦-ସୂତ୍ରୀ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ, ଯାହା ଅଧୀନରେ ହମାସ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଇସ୍ରାଏଲ ରାଜି ହୋଇଥିବା ସୀମାକୁ ତାର ସେନା ପ୍ରତ୍ୟାହାର କରିବ।
ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ବନ୍ଧକଙ୍କ ମୁକ୍ତି ପାଇଁ ଚୁକ୍ତି ପାଇଁ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଟ୍ୱିଟରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ସମସ୍ତ ବନ୍ଧକଙ୍କ ମୁକ୍ତି ପାଇଁ ଚୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ: ଟିଟିପି ମୁଖ୍ୟଙ୍କ ଠିକଣାକୁ ଲକ୍ଷ୍ୟ କରି ଆକ୍ରମଣ କଲେ ପାକିସ୍ତାନୀ ସେନା