ନୂଆଦିଲ୍ଲୀ: ମଧ୍ୟପ୍ରାଚରେ ଉତ୍ତେଜନା ଚରମରେ ପହଞ୍ଚିଛି । ଇସ୍ରାଏଲ ଓ ହମାସ ପରି ଉଗ୍ରବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଲଢେଇ ଏବେ ଆହୁରି ବ୍ୟାପକ ହୋଇଛି । ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଚାଲିତିବା ସଦ୍ୟତମ ଲଢେଇରେ ଇରାନ ପ୍ରବେଶ କରିଛି । ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ନିହତ ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ୧୫୦ରୁ ଅଧିକ ମିସାଇଲ ମାଡ କରିଛି । ଏହି ମିସାଇଲ ଆକ୍ରମଣକୁ ଇସ୍ରାଏଲର ଆଇରନ ଡୋମ ସିଷ୍ଟମ ରୋକିବାରେ ସଫଳ ହୋଇଛି । ସ୍ଥିତି ଏମିତି ଉପୁଜିଲାଣି ଯେ, ଆମେରିକା ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଇସ୍ରାଏଲ ପଣ କରିଛି ଯେ, ଇରାନ ବଞ୍ଚିବ ନଚେତ୍ ଆମେ ବଞ୍ଚିବୁ ।
ଇରାନ ପାଖାପାଖି ୨୦୦ ମିସାଇଲ ମାଡ କରିବା ପରେ ବି ଆକ୍ରମଣାତ୍ମକ ମୋଡରେ ରହିଛି । ଇରାନର ସେନା ମୁଖ୍ୟ ଜେନେରାଲ ମହମ୍ମଦ ବାଘେରୀ ଇସ୍ରାଏଲକୁ ଧମକ ଦେଇଛନ୍ତି, ଯଦି ଇସ୍ରାଏଲ ପ୍ରତିଜବାବ ଦିଏ ତେବେ ତାକୁ ଭୟାବହ ପରିଣାମ ଭୋଗିବାକୁ ପଡିବ। ଇସ୍ରାଏଲର ପ୍ରତିଟି ଠିକଣାରେ ଆକ୍ରମଣ କରାଯିବ । ଇରାନ ସ୍ପଷ୍ଟ ଶବ୍ଦରେ କହିଛି ଯେ, ଇସ୍ରାଏଲର ପ୍ରତିଟି କୋଣରେ ଏବେ ହମଲା କରାଯିବ । ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ ତେବେ ଇସ୍ରାଏଲର ପ୍ରତିଟି ଅଞ୍ଚଳରେ ମିସାଇଲ ବର୍ଷା ହେବ ।
ତେବେ ଇରାନର ଏହି ଆକ୍ରମଣରେ ଇସ୍ରାଏଲ ବିଶେଷ କିଛି କ୍ଷତି ଘଟିନାହିଁ । କିନ୍ତୁ ଇରାନ ଆରବ ଓ ମୁସଲିମ ଜଗତକୁ ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଛି ଯେ, ସେ ପାଲେଷ୍ଟାଇନ ଓ ଲେବାନନର ସହ ରହିଛି । ଇରାନ ଦାବି କରିଛି ଯେ, ତା ପକ୍ଷରୁ ମାଡ ହୋଇଥିବା ୯୦ ପ୍ରତିଶତ ମିସାଇଲ ଲକ୍ଷ୍ୟଭେଦ କରିଛି । ଇସ୍ରାଏଲ ସେନା ଅନୁଯାୟୀ, ଇରାନ ପ୍ରାୟ ୧୮୯ ମିସାଇଲ ମାଡ କରିଛି, ଯେଉଁଥିରୁ ଅଧିକାଂଶ ମିସାଇଲକୁ ମଝି ଆକାଶରେ ନଷ୍ଟ କରି ଦେଇଛୁ ।