ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁର ପ୍ରତିଶୋଧରେ ଆଜି ଇସ୍ରାଏଲ ଉପରେ ୧୫୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ଇସ୍ରାଏଲ୍ ଉପରେ ମିସାଇଲ୍ ଆକ୍ରମଣ ହୋଇଥିବା ଇସ୍ରାଏଲୀ ସୁରକ୍ଷା ବଳ ସ୍ପଷ୍ଟ କରିଛି । ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ରକେଟ ଆକ୍ରମଣ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି।
ଇସ୍ରାଏଲ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଇସ୍ରାଏଲ୍ ଉପରେ ମିସାଇଲ୍ ଆକ୍ରମଣ କରାଯାଇଛି । ସାରା ଦେଶରେ ଏୟାର ଷ୍ଟ୍ରାଇକ ସାଇରନ୍ ଆକ୍ଟିଭ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଏବଂ ବୋମା ଆଶ୍ରୟ ସ୍ଥଳରେ ରହିବା ପାଇଁ ଆଦେଶ ଦିଆଯାଇଛି । ପୂରା ଦେଶରେ ଏପରି ସତର୍କ ସୂଚନା ଜାରି ହେବା ପରେ ଲୋକମାନେ ଜୀବନ ବିକଳରେ ବୋମା ଶେଲଟର ଭିତରେ ପଶି ଯାଇଛନ୍ତି।
ଇସ୍ରାଏଲ୍ ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଯଦି ଇରାନ ଆକ୍ରମଣ କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏବେ ଅନୁମାନ କରାଯାଉଛି ଯେ ଇରାନ ଉପରେ ଇସ୍ରାଏଲ ପାଲଟା ଆକ୍ରମଣ କରିପାରେ ।
ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କିଛି କ୍ଷଣ ପୂର୍ବରୁ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ଓ ରେକଟ ମାଡ଼ କରାଯାଇଛି। ଇସ୍ରାଏଲବାସୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଉଛି।
ଇରାନର ମିସାଇଲ୍ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାମନାକୁ ଆସିଛି । ରାଷ୍ଟ୍ରପତି ବାଇଡେନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଇସ୍ରାଏଲକୁ ଇରାନର ମିସାଇଲ୍ ଆକ୍ରମଣରୁ ରକ୍ଷା କରିବା ଦିଗରେ ସୁବ ପ୍ରକାରର ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛୁ । ଏଥିସହ ଇସ୍ରାଏଲରେ ଇରାନ ମିସାଇଲ୍ ଧ୍ୱଂସ କରିବା ପାଇଁ ବାଇଡେନ ଆମେରିକା ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇସ୍ରାଏଲର କହିବା କଥା ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲୋକ ବୋମା ଶେଲଟରରେ ଆଶ୍ରୟ ନେଇଛନ୍ତି। ପୂରା ଇସ୍ରାଏଲର ଭାଇ ଓ ଭଉଣୀଙ୍କ ସହ ଆମେ ରହିଛୁ। କାହାର ବି କିଛି ହେବ ନାହିଁ ଇସ୍ରାଏଲ ସରକାର ଟ୍ୱିଟ କରିଛନ୍ତି।