ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ଲେଖକ ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୌଟାଉକ୍ୱାରେ କାର୍ଯ୍ୟକ୍ରମରେ ସାମିଲ ହେବା ସମୟରେ ଛୁରାମାଡ଼ ହୋଇଛି । ରୁଶଦିଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆକ୍ରମଣର ଶିକାର ହେଲା ପରେ ରୁଶଦିଙ୍କୁ ହେଲିକପ୍ଟର ଜରିଆରେ ହସ୍ପିଟାଲ ନିଆଯାଇଥିଲା । ରୁଶଦିଙ୍କ ଚିକିତ୍ସା ଜାରି ରହିଛି । ନ୍ୟୁୟର୍କ ଗଭର୍ଣ୍ଣର କେଥୀ ହୋଚୁଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ରୁଶଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ଗିରଫ ହୋଇଛି । ହାଦି ମାତର ନାଁରେ ୨୪ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି ।
ତେବେ ଏତେ ବଡ଼ ମହାନ ଲେଖକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଗଲା, ଏମିତି କ’ଣ ବିବାଦ ରହିଛି ଯେ, ତାଙ୍କୁ ଆକ୍ରମଣ କରାଗଲା? ଏବାବଦରେ ନ୍ୟୁୟର୍କ ପୁଲିସ କିଛି କହି ନାହିଁ । କିନ୍ତୁ ରୁଶଦିଙ୍କ ବ୍ୟକ୍ତିଗତ ଜୀବନ ବିବାଦପୂର୍ଣ୍ଣ । ସୂଚନାଯୋଗ୍ୟ ତାଙ୍କୁ ହତ୍ୟା କରିବା ପାଇଁ ୧୯୮୯ ମସିହାରୁ ଧମକ ମିଳି ଆସୁଛି । ତେଣୁ ଶୁକ୍ରବାର ରୁଶଦିଙ୍କୁ ଆକ୍ରମଣ କରାଯିବା, ତାହା ମଧ୍ୟ ଏକ କାରଣ ହୋଇଥାଇ ପାରେ ।
ଶୁକ୍ରବାର ସକାଳୁ ଲେକ୍ଚର ଦେବାକୁ ଯିବା ପୂର୍ବରୁ ସିଏଚ୍କୁଞ ୨୦୨୨ କାର୍ଯ୍ୟକ୍ରମ ପାଇଁ ମଂଚକୁ ଯିବା ପୂର୍ବରୁ ଲେଖକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା । ନ୍ୟୁୟର୍କ ପୁଲିସ କହିଛି ଯେ, ଜଣେ ସନ୍ଦିଗ୍ଧ ଲେଖକଙ୍କୁ ମଂଚ ଉପରକୁ ଯିବା ପୂର୍ବରୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସେ ଛୁରୀ ଭୁସିଥିଲା ।