ଓଡେସା, ଜୁଲାଇ ୦୧ (ଖବର ଓଡ଼ିଶା): ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ମିସାଇଲ ଆକ୍ରମଣ କରୁଛି । ଏଥର ରୁଷିଆର ସୈନିକମାନେ ଓଡେସା ଓବ୍ଲାଷ୍ଟରେ ଥିବା ଏକ କୋଠାକୁ ଟାର୍ଗେଟ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଓଡେସା ଓବ୍ଲାଷଟର ଗଭର୍ଣ୍ଣର ସେହରହୀ ବ୍ରେଚୁକ କହିଛନ୍ତି, ରୁଷିଆର ମିସାଇଲ ୯ ମହଲା ଉଚ୍ଚ କୋଠାକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ମିସାଇଲ ବିଲହୋରାଡ-ଡିନିଷ୍ଟ୍ରୋଭସ୍କିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷିଆ ମଧ୍ୟରାତ୍ରୀରେ ମିସାଇଲ ମାଡ଼ କରିଥିଲା । ଅଚାନକ ଏକ ମିସାଇଲ ଏକ ଉଚ୍ଚ କୋଠାରେ ଆସି ଧକ୍କା ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ମିସାଇଲ ମାଡ଼ରେ ୭ ଜଣ ଆହତ ହୋଇଥିବା କୁହାଯାଉଛି । ତେବେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତମାସ ୨୮ ତାରିଖରେ ୟୁକ୍ରେନ୍ର କେନ୍ଦ୍ରୀୟ କ୍ରେମେନଞ୍ଚୁଗ ସହରସ୍ଥିତ ଶପିଂ ମଲ୍ରେ ରୁଷିଆ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଥିଲା, ଯେଉଁଥିରେ କି ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୯ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ଫେବ୍ରୁଆରୀ ମାସ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ସମାଧାନ ପାଇଁ ବିଶ୍ୱସ୍ତରୀୟ ନେତାମାନେ ଉଦ୍ୟମ କରିଥିଲେ ବି କୌଣସି ପ୍ରତିକାରର ରାସ୍ତା ବାହାରୁନାହିଁ ।