ଇସଲାମାବାଦ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ବନ୍ୟା ଓ ଆର୍ଥିକ ସଂକଟରେ ପାକିସ୍ତାନର ଅବସ୍ଥା ଆହୁରି ଖରାପ ସ୍ତରକୁ ଚାଲିଯାଇଛି । ପାକିସ୍ତାନର ଜନତା ମ୍ୟାଲେରିଆ ରୋଗ ସହିତ ସଂଘର୍ଷ କରୁଛନ୍ତି । ମଶାମାନଙ୍କ ଠାରୁ ବର୍ତ୍ତିବା ପାଇଁ ଲୋକଙ୍କ ପାଖରେ ଉପାୟ ନାହିଁ । ତେଣୁ ସେମାନେ ପଡୋଶୀ ଦେଶ ଭାରତକୁ ମନେ ପକାଇଛନ୍ତି । ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଗୁଲାମ ଅବାସ ଶାହ ଦାବି କରିଛନ୍ତି ଯେ, ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମ୍ୟାଲେରିଆ ଦାଉର ବଂଚିବା ପାଇଁ ଭାରତରୁ ୭୧ ଲକ୍ଷ ମଶା ନିରୋଧକ ମଶାରୀ ଆମଦାନୀ କରିବାକୁ ଅନୁମତି ମାଗନ୍ତୁ ।
ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହ୍ୟାଶଟ୍ୟାଗ୍ FloodsIn Pakistan ସହିତ ଟୁଇଟ୍ କରି ଲେଖିଛନ୍ତି ଯେ, ‘ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାକିସ୍ତାନ ସରକାରଙ୍କୁ ଭାରତରୁ ମଶାରୀ କିଣିବାକୁ ଅନୁମତି ମାଗନ୍ତୁ । ପାକିସ୍ତାନର ୨୬ ଜିଲ୍ଲାରେ ୭୧ ଲକ୍ଷ ମଶାରୀ ଜରୁରୀକାଳୀନ ଭିତ୍ତିରେ ଦରକାର ଅଛି । ସେ ଦାବି କରିଛନ୍ତି ଯେ, ସିନ୍ଧ ଏବଂ ବେଲୁଚିସ୍ତାନରେ ବିଗତ ୨ ମାସରେ ୨ ଲକ୍ଷ ମ୍ୟାଲେରିଆରେ ସଂକ୍ରିତ ହୋଇଛନ୍ତି । ଏଥିରେ ୨୨ ପ୍ରତିଶତ ମାମଲା ପ୍ଲାସ୍ମୋଡିୟମ ଫାଲ୍ସୀପେରମ ପ୍ରଜାତି ରହିଛି ।