କିଭ୍, ଜୁନ୍ ୨୮ (ଖବର ଓଡ଼ିଶା): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲଢ଼େଇ ଜାରି ରହିଛି । ୟୁକ୍ରେନ୍ର ରାଜଧାନୀ କିଭ୍ ସମେତ ଖାରକିଭ୍, ମାରିୟୁପୋଲ ଭଳି ବଡ଼ ସହରରେ ରୁଷିଆର ସେନା ବ୍ୟାପକ ଭାବେ ମୁତୟନ ହୋଇଛନ୍ତି । ଏବେ ୟୁକ୍ରେନ୍ର ଶପିଂ ମଲ୍ରେ ରୁଷିଆ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି, ଯେଉଁଥିରେ କି ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୯ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ରୀୟ କ୍ରେମେନଞ୍ଚୁଗ ସହରସ୍ଥିତ ଏକ ସପିଂ ମଲରେ ରୁଷିଆ ମିସାଇଲ ଖସିଥିଲା । ଘଟଣା ସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୫୯ ଜଣ ଗୁରୁତର ହୋଇଥିଲେ । ସେଥିରୁ ୨୫ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ସମାଧାନ ପାଇଁ ବିଶ୍ୱସ୍ତରୀୟ ନେତାମାନେ ଉଦ୍ୟମ କରିଥିଲେ ବି କୌଣସି ପ୍ରତିକାରର ରାସ୍ତା ବାହାରୁନାହିଁ ।