ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରର ସଫଳତାକୁ ବେଶ ପ୍ରଶଂସା କରାଯାଉଛି । ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେ ସ୍ଥିତ ଅନେକ ଆତଙ୍କୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଧ୍ୱଂସ କରିଥିଲା । ଏବେ ଅପରସନ ସିନ୍ଦୂରକୁ ନେଇ ପାକିସ୍ତାନ ପ୍ରସ୍ତୁତ କରିଥିବା ଡୋଜିୟରରେ ବଡ ଖୁଲାସା ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଭାରତୀୟ ସେନା ଯେଉଁ ସୂଚନା ଦେଇଛି ତାଠୁ ଢେର ଅଧିକ ପାକିସ୍ତାନର କ୍ଷତି ହୋଇଛି ।
ଭାରତ ଅପରେସନ ସିନ୍ଦୂର ସମୟରେ କେବଳ ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲା । କିନ୍ତୁ ଏହା ପରେ ପାକିସ୍ତାନ ସେନା ଭାରତ ବିରୋଧରେ ମୋର୍ଚ୍ଚା ଖୋଲିଥିଲା । ପାକିସ୍ତାନର ଭାରତର ସୀମାବର୍ତ୍ତୀ ଅନେକ ସହର ଓ ଜିଲ୍ଲା ଉପରେ ଡ୍ରୋନ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ହେଲେ ଭାରତୀୟ ସେନା ପାକିସ୍ତାନର ପ୍ରତିଟି ଉଦ୍ୟମ ପଣ୍ଡ କରିଥିଲେ । ଏହାର ଜବାବରେ ଭାରତ ପାକିସ୍ତାନର ଅନେକ ଏୟାରବେସ ଧ୍ୱଂସ କରିଥିଲା । ଏଥିରେ ପାକିସ୍ତାନର ସାମରିକ ଘାଟିର ବହୁତ କ୍ଷତି ଘଟିଛି ।
ପାକିସ୍ତାନ ଅପରେସନ ସିନ୍ଦୂର ଉପରେ ଏ ପର୍ଯ୍ୟନ୍ତ ଅନେକ ଥର ମିଛ କହି ଆସିଛି । ମାତ୍ର ତାର ଡୋଜିୟରରେ ହିଁ ମିଛର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନର ଡୋଜିୟରରୁ ଜଣା ପଡିଛି ଯେ, ଭାରତ ବହୁତ ଭିତରେ ପଶି ହମଲା କରିଛି । ପାକିସ୍ତାନରେ ୨୦ ନୁହେଁ ବରଂ ୨୮ ସ୍ଥାନରେ ଭାରତ ହମଲା କରିଥିଲା । ଡୋଜିୟରରେ ଏସବୁର ଖୁଲାସା ହୋଇଛି । ପେଶାୱର, ସିନ୍ଧୁ, ଝାଙ୍ଗ, ଗୁଞ୍ଜରାବାଲା, ଭବାଲନଗର ଓ ଛୋର ସମେତ ଅନେକ ସ୍ଥାନରେ ଭାରତର ଆକ୍ରମଣରେ କ୍ଷତି ଘଟିଛି ।
ଭାରତ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ହମଲା କରିଥିଲା । ଏଥିରେ ନୂର ଖାନ, ରଫିକି, ମୁରିଦେକ, ସୁକରୁର, ସିୟାଲକୋଟ, ପସରୁର, ଚୁନିୟାନ ଓ ସରଗୋଧା ସମେତ ମୋଟ୍ ୧୧ ଏୟାରବେସ୍ ସାମିଲ । ନିକଟରେ ମ୍ୟାକ୍ସସାର ଟେକ୍ନୋଲୋଜି ସାଟେଲାଇଟ ଫଟୋ ଜାରି କରିଥିଲା । ଏହା ଜରିଆରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ସାମରିକ ଘାଟିର ହୋଇଥିବା କ୍ଷତିର ଖୁଲାସା ହୋଇଥିଲା ।